Latest Odisha News

BREAKING NEWS

ଉଦଘାଟନ ପୂର୍ବରୁ HPCL ରିଫାଇନାରୀରେ ଅଗ୍ନିକାଣ୍ଡ, ପ୍ରଧାନମନ୍ତ୍ରୀ କରିଥାନ୍ତେ…

ନୂଆଦିଲ୍ଲୀ: ଆସନ୍ତା ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ପଚପଦ୍ରାରେ ଦେଶର ସର୍ବବୃହତ HPCL ତୈଳ ବିଶୋଧନାଗାର ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସୋମବାର ଦିନ ରିଫାଇନାରୀର ଏକ ୟୁନିଟରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି।

ରିଫାଇନାରୀରୁ ଘନ ଧୂଆଁ ଉଠିବାକୁ ଲାଗିଥିଲା। କର୍ମଚାରୀମାନେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସକ୍ରିୟ କରିଥିଲେ ଏବଂ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀ ଶେଷରେ ନିଆଁକୁ ନିୟନ୍ତ୍ରଣ କରିପାରିଥିଲେ।

ଅଗ୍ନିକାଣ୍ଡ ସମ୍ପର୍କରେ ଭାରତୀୟ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସୋମବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟରେ କହିଛି ଯେ HPCL ରାଜସ୍ଥାନ ରିଫାଇନାରୀ ଲିମିଟେଡ୍ ପରିସରରେ ଥିବା ଅଶୋଧିତ ତୈଳ ବିଶୋଧନ ୟୁନିଟ୍ ନିକଟରେ ଅଗ୍ନିକାଣ୍ଡ ଘଟିଥିଲା, କିନ୍ତୁ ନିଆଁକୁ ନିୟନ୍ତ୍ରଣ କରାଯାଇଛି। କୌଣସି କ୍ଷୟକ୍ଷତିର ଖବର ନାହିଁ। ମନ୍ତ୍ରଣାଳୟ ଆହୁରି କହିଛି ଯେ ଅଗ୍ନିକାଣ୍ଡର କାରଣ ଜାଣିବା ଏବଂ ଆବଶ୍ୟକୀୟ ସଂଶୋଧନମୂଳକ ପଦକ୍ଷେପ ନେବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି।

ରିଫାଇନାରୀର ଉଦଘାଟନ ସମ୍ପର୍କରେ ମନ୍ତ୍ରଣାଳୟ କହିଛି ଯେ ଉଦଘାଟନ ଉତ୍ସବ ପାଇଁ ନୂତନ ତାରିଖ ପରେ ଘୋଷଣା କରାଯିବ। ଆଜି ରିଫାଇନାରୀର ଅଶୋଧିତ ତୈଳ ବିଶୋଧନ ୟୁନିଟ୍ ଚାରିପାଖରେ ଅଗ୍ନିକାଣ୍ଡ ଦୁର୍ଭାଗ୍ୟଜନକ। ଏହି ଘଟଣା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏପ୍ରିଲ ୨୧ରେ ହେବାକୁ ଥିବା ନିର୍ଦ୍ଧାରିତ ଉଦଘାଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।

 

Leave A Reply

Your email address will not be published.