ଭୁବନେଶ୍ବର:ଭାରତର ଭୋଟର ତାଲିକରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ ମାଧ୍ୟମରେ ଭୋଟର ତାଲିକାରୁ ଅଧିକରୁ ଅଧିକ ଭୋଟରଙ୍କ ନାମ କଟିଯାଉଥିବା ଅଭିଯୋଗରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳ ଆଜି ଓଡ଼ିଶାରେ ମଧ୍ୟ ସେଭଳି ହେବାର ସନ୍ଦେହ ସୃଷ୍ଟି ହେଲାଣି ବୋଲି କହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳର ଉପନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ବିଜୟ ନାୟକ ଭୋଟର ତାଲିକାରୁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟରଙ୍କ ନାମ ବାଦ୍ ପଡୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ।
ଦେବୀ ପ୍ରସାଦ ମିଶ୍ର କହିଥିଲେ, ଏହି ବର୍ଷ ହୋଇଥିବା ସଂଶୋଧନରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଭୋଟରଙ୍କୁ ବାଦ୍ ଦିଆଯାଇଛି । ଏହି ପ୍ରକ୍ରିୟାରେ ଅତି ବେଶୀରେ ୭ ଲକ୍ଷ ଭୋଟର ବାଦ୍ ପଡୁଥିବା ବେଳେ ଅଧିକ ୩ ଲକ୍ଷ ଭୋଟରଙ୍କୁ ବାଦ୍ ଦିଆଯାଇଥିବାରୁ, ସନ୍ଦେହ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଏସଆଇଆର ହେବାକୁ ଯାଉଥିବା ବେଳେ, ଅଧିକ ଭୋଟରଙ୍କ ନାମ ବାଦ୍ ପଡିବା ଆଶଙ୍କା ଦେଖାଦେଇଛି । ଏସଆଇଆର ଓଡ଼ିଶାରେ ୨୦୦୨ ମସିହାରେ ହୋଇଥିଲା । ୧୯.୦୮.୨୦୨୫ରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଦେଶର ନିର୍ବାଚନ କମିଶନରଙ୍କୁ ଭେଟି ଏହି ସମ୍ୱନ୍ଧରେ ବିଜେଡି ନିଜର ଆଶଙ୍କା ପ୍ରକାଶ କରିଥିଲା । ବିଶେଷକରି ଯେଉଁମାନେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି, ତାଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ୍ ନପଡେ, ସେଥିପ୍ରତି ଯତ୍ନବାନ ହେବା ଉଚିତ ବୋଲି ବିଜେଡି କହିଥିଲା । ପ୍ରତିବର୍ଷ ୭ ଲକ୍ଷ ଭୋଟର ବାଦ୍ ପଡ଼ନ୍ତି । କିନ୍ତୁ ଏହି ବର୍ଷ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଭୋଟର ବାଦ୍ ପଡ଼ିଛନ୍ତି । ବିଜେଡି ଆଶଙ୍କା କରୁଛି ଯେ, ଏତେ ଅଧିକ କିପରି ବାଦ୍ ପଡୁଛନ୍ତି ? ଅଧିକ ସଂଖ୍ୟାର ଭୋଟରଙ୍କୁ ବାଦ୍ ଦିଆଯାଇଛି । ଦେଶର ଜଣେ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡିବା ଦ୍ୱାରା ତାର ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି ।
ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ପ୍ରାୟ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରାୟ ୫ କୋଟିରୁ ଅଧିକ ଭୋଟର ମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଓଡିଶାରେ ଏସଆଇଆର ହେବାକୁ ଯାଉଥିବା ବେଳେ ଯୋଗ୍ୟ ଭୋଟର ମାନଙ୍କୁ ତାଲିକାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି । ଦୁଇ ଦିନ ତଳେ ନିର୍ବାଚନ କମିଶନ ଯେଉଁ ଚିଠି ଲେଖିଛନ୍ତି, ସେଥିରୁ ସନ୍ଦେହ ଅଧିକ ଦୃଢ଼ୀଭୂତ ହୋଇଛି । ମାତ୍ର ଏକ ବର୍ଷ ୪ ମାସ ତଳେ, ଯେଉଁମାନେ ଭୋଟର ତାଲିକାରେ ଥିଲେ, ସେଥିରୁ ପ୍ରାୟ ୧୦ ଲକ୍ଷ ଭୋଟର ବାଦ୍ ପଡିବା ନିଶ୍ଚିତ ଭାବେ ଅଧିକ ସନ୍ଦେହ ସୃଷ୍ଟି କରୁଛି । ସରକାର ଓ ନିର୍ବାଚନ କମିଶନ ଏହି ସନ୍ଦେହକୁ ଦୂର କରନ୍ତୁ ଏବଂ କିପରି ଜନସାଧାରଣଙ୍କ ଭୋଟ ଦେବାର ଅଧିକାର ଯେପରି କ୍ଷୁଣ୍ଣ ନହୁଏ, ସେଥିପ୍ରତି ଯତ୍ନବାନ ହେବା ଉଚିତ ।