Latest Odisha News

BREAKING NEWS

୧୦ ଟଙ୍କାର ଝାଲମୁଢ଼ିରେ ଭୋଟ୍‌? ଭୋଟ୍ ପୂର୍ବରୁ ବେଙ୍ଗଲ ରାଜନୀତିରେ ନୂଆ ଚର୍ଚ୍ଚା

ନୂଆଦିଲ୍ଲୀ/କୋଲକାତା: ଗୁରୁବାର ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ। ୧୫୨ଟି ବିଧାନସଭା ଆସନରେ ହେବ ମତଦାନ। ପ୍ରଚାର ଥମିଯାଇଛି, ଏବେ ଅପେକ୍ଷା ଗୁରୁବାର ମତଦାନକୁ। ଏହା ପୂର୍ବରୁ କିନ୍ତୁ ଚର୍ଚ୍ଚାର ଖୋରାକ ଯୋଗାଇଛି ପ୍ରଚାର ବେଳେ ପ୍ରଧାନମନ୍ତ୍ରୀଙ୍କ ଝାଲମୁଢି।

ରାଜନୀତିରେ କେବଳ ଭାଷଣ କିମ୍ବା ପ୍ରତିଶ୍ରୁତି ନୁହେଁ, ବରଂ ଛୋଟ ଛୋଟ ଅଙ୍ଗଭଙ୍ଗୀ ଓ ସାଧାରଣ ଜୀବନଶୈଳୀ ମଧ୍ୟ ବଡ଼ ପ୍ରଭାବ ପକାଇଥାଏ । ପଶ୍ଚିମବଙ୍ଗର ଝାଡ଼ଗ୍ରାମରେ ନିର୍ବାଚନୀ ସଭା ସାରି ହେଲିପ୍ୟାଡ୍ ଅଭିମୁଖେ ଯିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଗାଡ଼ି ଅଟକାଇ ଜଣେ ସାଧାରଣ ଦୋକାନୀଙ୍କ ପାଖରୁ ଝାଲମୁଢ଼ି ଖାଇବା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା କେବଳ ଏକ ଜଳଖିଆ ବିରତି ନଥିଲା, ବରଂ ଏହା ଥିଲା ବେଙ୍ଗଲର ସାଧାରଣ ଜନତାଙ୍କ ସହ ଯୋଡ଼ି ହେବାର ଏକ ପ୍ରୟାସ ।

ଏପ୍ରିଲ୍ ୧୯ ତାରିଖରେ ଝାଡ଼ଗ୍ରାମର କଲେଜ ମୋଡ଼ଠାରେ ପ୍ରଧାନମନ୍ତ୍ରୀ, ବିକ୍ରମ ସାହୁ ନାମକ ଜଣେ ଦୋକାନୀଙ୍କଠାରୁ ୧୦ ଟଙ୍କାର ଝାଲମୁଢ଼ି କିଣି ଖାଇଥିଲେ । ସ୍ଥାନୀୟ ଲୋକଙ୍କ ସହ ହସଖୁସିରେ କଥା ହେବା ଏବଂ ଦୋକାନରେ ମୁଢ଼ି ଖାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ବିଶେଷଜ୍ଞଙ୍କ ମତରେ, ମୋଦି ଏପରି କରି ଦର୍ଶାଇବାକୁ ଚାହିଁଛନ୍ତି ଯେ ସେ ବେଙ୍ଗଲର ସଂସ୍କୃତି ଓ ସାଧାରଣ ଜନତାଙ୍କ ପସନ୍ଦ ସହ ଓତଃପ୍ରୋତ ଭାବେ ଜଡ଼ିତ । ଏହି ‘ଝାଲମୁଢ଼ି ମୋମେଣ୍ଟ’ ନେତା ଓ ଜନତାଙ୍କ ମଧ୍ୟରେ ଥିବା ଦୂରତ୍ୱକୁ କମାଇବାର ଏକ ପ୍ରୟାସ ବୋଲି କୁହାଯାଉଛି ।

ତେବେ ମୋଦିଙ୍କ ଏହି ଷ୍ଟାଇଲକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାଟାକ୍ଷ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଏହା ଏକ ଯୋଜନାବଦ୍ଧ ନାଟକ । SPG ସୁରକ୍ଷା ବଳୟ ମଧ୍ୟରେ କ୍ୟାମେରା ଓ ମାଇକ୍ରୋଫୋନ୍ ପୂର୍ବରୁ ସେଟ୍ କରାଯାଇଥିଲା । ମମତା ଆହୁରି ମଧ୍ୟ କହିଛନ୍ତି ଯେ, ସେହି ଦୋକାନୀଙ୍କୁ ସେ ନିଜେ ଥଇଥାନ କରିଥିଲେ, କିନ୍ତୁ ବିଜେପି ଏବେ ତାହାର ଶ୍ରେୟ ନେବାକୁ ଚେଷ୍ଟା କରୁଛି । ତେବେ ମୋଦିଙ୍କ ପୂର୍ବରୁ ମମତା ନିଜେ ଚା’ କରିବା କିମ୍ବା ମୋମୋ ପ୍ରସ୍ତୁତ କରିବା ଭଳି ଦୃଶ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାଏ, ଯାହାକୁ ଏବେ ବିଜେପି କପି କରୁଛି ବୋଲି ଟିଏମସି କହିଛି ।

ନିର୍ବାଚନୀ ବେଳେ ଖାଦ୍ୟ କେବଳ ପେଟ ପାଇଁ ନୁହେଁ, ବରଂ ପରିଚୟ ପାଇଁ ବ୍ୟବହାର କରାଯାଉଛି । ବେଙ୍ଗଲରେ ମାଛ-ଭାତରୁ ଆରମ୍ଭ କରି କୋଲକାତା ବିରିୟାନୀ ଏବଂ ଏବେ ଝାଲମୁଢ଼ି ଯାଏଁ ସବୁଠି ରାଜନୀତିର ଗନ୍ଧ ବାରି ହେଉଛି । ଝାଡ଼ଗ୍ରାମ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ମୋଦୀଙ୍କ ଏହି ଉଦ୍ୟମ ଗରିବ ଲୋକଙ୍କ ସହ ନିଜକୁ ଯୋଡ଼ିବାର ଏକ ସଙ୍କେତ ବୋଲି ବିଚାର କରାଯାଉଛି ।

Leave A Reply

Your email address will not be published.