କମ୍ପାନୀ ପ୍ରତି ରହିବନି ଆଉ ‘ଲୟାଲଟି’: କାହିଁକି ବିଶ୍ୱାସଯୋଗ୍ୟ କର୍ମଚାରୀ ହୋଇପାରିବେନି Gen Z? ମୁମ୍ବାଇ ଯୁବକଙ୍କ ପୋଷ୍ଟ ଭାଇରାଲ
ମୁମ୍ବାଇ: କର୍ପୋରେଟ୍ ଜଗତରେ ଏବେ ଏକ ବଡ଼ ପରିବର୍ତ୍ତନ ଆସୁଛି । ପୂର୍ବରୁ ଜଣେ କର୍ମଚାରୀ ଗୋଟିଏ କମ୍ପାନୀରେ ଦଶନ୍ଧି ଦଶନ୍ଧି ଧରି କାମ କରି ନିଜର ନିଷ୍ଠା ପ୍ରମାଣ କରୁଥିଲେ, କିନ୍ତୁ ଆଜିକାଲିର ନୂଆ ପିଢ଼ି ବା ‘Gen Z’ (୧୯୯୦ ଦଶକର ଶେଷ ଭାଗରୁ ୨୦୧୦ ମଧ୍ୟରେ ଜନ୍ମିତ) କର୍ମଚାରୀଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା। ମୁମ୍ବାଇର ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ସ୍ପଷ୍ଟ ମତ ରଖି କହିଛନ୍ତି ଯେ, Gen Z କର୍ମଚାରୀମାନେ ଆଉ ପୂର୍ବ ଭଳି ‘ଭରସାଯୋଗ୍ୟ’ ହୋଇ ରହିବେ ନାହିଁ ।
କାହିଁକି ବଦଳୁଛି ମାନସିକତା?
ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଆଜିକାଲିର ଯୁବପିଢ଼ି କୌଣସି ନିର୍ଦ୍ଧିଷ୍ଟ ଅନୁଷ୍ଠାନ ବା କମ୍ପାନୀ ପ୍ରତି ଆନୁଗତ୍ୟ ଦେଖାଇବା ଅପେକ୍ଷା ନିଜର ବ୍ୟକ୍ତିଗତ ବିକାଶ ଏବଂ ମାନସିକ ଶାନ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସେମାନଙ୍କ ପାଇଁ କାମ କେବଳ ଜୀବିକା ନୁହେଁ, ବରଂ ଜୀବନର ଏକ ଛୋଟ ଅଂଶ ମାତ୍ର । ଯଦି କୌଣସି ସ୍ଥାନରେ ସେମାନଙ୍କୁ ଅଧିକ ଚାପ ମିଳେ କିମ୍ବା କାମ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବିଗିଡ଼ିଯାଏ, ତେବେ ସେମାନେ ତୁରନ୍ତ ଚାକିରି ଛାଡ଼ିବାକୁ ପଛାଉ ନାହାନ୍ତି ।
‘ଲୟାଲଟି’ ଏବେ ପୁରୁଣା ଶବ୍ଦ
ପୋଷ୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, Gen Z ପିଢ଼ି ଦେଖିଛନ୍ତି କିଭଳି କମ୍ପାନୀଗୁଡ଼ିକ ବିନା କୌଣସି ସୂଚନାରେ ପୁରୁଣା ଓ ନିଷ୍ଠାବାନ କର୍ମଚାରୀଙ୍କୁ ଛଟେଇ କରିଦେଉଛନ୍ତି । ଏହି କାରଣରୁ ସେମାନଙ୍କ ମନରୁ କମ୍ପାନୀ ପ୍ରତି ଥିବା ସେହି ଭୟ କିମ୍ବା ସମ୍ମାନ କମିଯାଇଛି । ସେମାନେ ଏବେ ‘ଟ୍ରାଞ୍ଜାକସନାଲ୍’ ସମ୍ପର୍କରେ ବିଶ୍ୱାସ କରୁଛନ୍ତି । ଅର୍ଥାତ୍, ଯେପର୍ଯ୍ୟନ୍ତ କମ୍ପାନୀ ସେମାନଙ୍କୁ ଭଲ ଦରମା ଓ ସୁବିଧା ଦେବ, ସେପର୍ଯ୍ୟନ୍ତ ସେମାନେ କାମ କରିବେ । ଅଧିକ ଭଲ ସୁଯୋଗ ମିଳିଲେ ସେମାନେ ଗୋଟିଏ ସେକେଣ୍ଡେ ମଧ୍ୟ ସେଠାରେ ଆଉ ଅଟକିବେ ନାହିଁ ।
ଏହି ଭାଇରାଲ ପୋଷ୍ଟଟି ଏବେ ଏଚଆର (HR) ପ୍ରଫେସନାଲ ଏବଂ ବ୍ୟବସାୟ କରୁଥିବା ମାଲିକମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ଯଦି କମ୍ପାନୀଗୁଡ଼ିକ କେବଳ କାମ ଚାହୁଁଛନ୍ତି ଏବଂ କର୍ମଚାରୀଙ୍କ ମାନସିକ ସ୍ଥିତିକୁ ବୁଝୁନାହାନ୍ତି, ତେବେ ସେମାନେ ଭବିଷ୍ୟତରେ କେବେ ବି ଏକ ସ୍ଥାୟୀ ଟିମ୍ ଗଢ଼ି ପାରିବେ ନାହିଁ ବୋଲି ଯୁକ୍ତି ବଢ଼ାଯାଇଛି ।
ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ନେଇ ଦୁଇ ପ୍ରକାରର ମତ ଦେଖିବାକୁ ମିଳୁଛି। କିଛି ଲୋକ Gen Z ର ଏହି ସ୍ପଷ୍ଟବାଦୀ ମନୋଭାବକୁ ସମର୍ଥନ କରୁଥିବା ବେଳେ, ଅନ୍ୟ କିଛି ଲୋକ ଏହାକୁ ‘ବେପରୁଆ’ ବୋଲି କହୁଛନ୍ତି ।