Latest Odisha News

BREAKING NEWS

ତାତିରୁ ମିଳିବ ତ୍ରାହି: ରାଜ୍ୟରେ ଏପ୍ରିଲ ୨୭ରୁ ସାମୂହିକ ଖରାଛୁଟି, ସ୍କୁଲ ପିଲାଙ୍କୁ ଅନଲାଇନରେ ପଢ଼ାଇବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ସ୍କୁୁଲରେ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଛୁଟି ରହିବ।

ସାଧାରଣତଃ ଓଡ଼ିଶାରେ ମେ ମାସ ପ୍ରଥମ ସପ୍ତାହରୁ ଖରାଛୁଟି ଆରମ୍ଭ ହୋଇଥାଏ। ତେବେ ରାଜ୍ୟରେ ପାରଦ ଲଗାତାର ଭାବେ ଉପରମୁହାଁ ରହିଥିବାରୁ ଏବଂ ଅନେକ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ତଥା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ପ୍ରଦାନ କରିଛନ୍ତି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସ୍କୁଲ ସହିତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦ ରହିବ। ତେବେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଲେ ସୁଦ୍ଧା ଛୋଟ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପୁଷ୍ଟିକର ଖାଦ୍ୟ ବା ରାସନ ସେମାନଙ୍କ ଘରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯିବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ପରେ ଏହି ସାମୂହିକ ଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଝାରସୁଗୁଡ଼ା ସମେତ ରାଜ୍ୟର ୨୪ରୁ ଅଧିକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ରାଜ୍ୟସ୍ତରୀୟ ଘୋଷଣା ହେବା ପୂର୍ବରୁ ହିଁ କଟକ, ଗଞ୍ଜାମ, ଝାରସୁଗୁଡ଼ା, ନୟାଗଡ଼, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ ଏବଂ ବଲାଙ୍ଗୀର ଭଳି ପ୍ରାୟ ୧୩ଟି ଜିଲ୍ଲାର ଜିଲ୍ଲାପାଳମାନେ ନିଜସ୍ୱ କ୍ଷମତା ପ୍ରୟୋଗ କରି ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଏପ୍ରିଲ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇସାରିଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସକାଳ ୬.୩୦ ରୁ ୯.୩୦ ପର୍ଯ୍ୟନ୍ତ କ୍ଲାସ କରିବାକୁ ସମୟ ନିର୍ଘଣ୍ଟ ବଦଳାଇଥିଲେ।

ଏବେ ସରକାରଙ୍କ ଏହି ସାମୂହିକ ଆଗୁଆ ଖରାଛୁଟି ଘୋଷଣା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ବଡ଼ ଆଶ୍ୱସ୍ତି ଆଣିଦେଇଛି। କୋର୍ସ ସାରିବା ପାଇଁ ଶିକ୍ଷକମାନଙ୍କୁ ଆବଶ୍ୟକ ସ୍ଥଳେ ଅନଲାଇନ୍ କ୍ଲାସ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.