ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ଆସନ୍ତା ବର୍ଷ ଖେଳାଯିବ । ଏ ପର୍ଯ୍ୟନ୍ତ ଏଥିରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଟିମ ଚୂଡାନ୍ତ ହୋଇ ନାହିଁ । ବାଂଲାଦେଶର ଭଲ ପ୍ରଦର୍ଶନ ଧୀରେ ଧୀରେ ୨ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ୱେଷ୍ଟଇଣ୍ଡିଜ ଟିମକୁ ହରଡଘଣାରେ ପକାଇଛି । ଦକ୍ଷିଣ ଆଫ୍ରିକା, ନାମ୍ବିଆ ଓ ଜିମ୍ବାୱେରେ ଏହି ବିଶ୍ୱକପ ଖେଳାଯିବ । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବାଂଲାଦେଶ ବିଜୟୀ ହୋଇଛି । ଏହା ପରୋକ୍ଷରେ ୱେଷ୍ଟଇଣ୍ଡିଜର କ୍ଷତି ଘଟାଇଛି ।
ଆଇସିସି ନିୟମ ଅନୁସାରେ ୩୧ ମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରଥମ ୮ଟି ସ୍ଥାନରେ ଥିବା ଟିମ ସିଧାସଳଖ ଏଂଟ୍ରି କରିବ । ଆୟୋଜକ ଭାବେ ଦକ୍ଷିଣ ଆଫ୍ରିକା ଟିମ ମଧ୍ୟ ସିଧାସଳଖ ବିଶ୍ୱକପ ଖେଳିବ । ଏବେ ୯ମ ସ୍ଥାନରେ ଥିବା ଟିମ ମଧ୍ୟ ଏଂଟ୍ରି କରିପାରିବ । ବାଂଲାଦେଶ ୭୯ ରେଟିଂ ପଂଏଟ ସହ ୯ମ ସ୍ଥାନରେ ରହିଛି । ୱେଷ୍ଟଇଣ୍ଡିଜ ୭୭ ପଂଏଟ ପାଇଁ ଏହା ପଛକୁ ରହିଛି । ଏବେ ନ୍ୟୁଜିଲାଣ୍ଡକୁ ହରାଇବା ଫଳରେ ବାଂଲାଦେଶର ରେଟିଂ ପଂଏଟ ଆହୁରି ବୃଦ୍ଧି ପାଇବ । ଦେଖାଯାଉ ବାକିଥିବା ଦିନିକିଆ ସିରିଜରେ ୱେଷ୍ଟଇଣ୍ଡିଜ କିପରି ବାଂଲାଦେଶକୁ ପଛରେ ପକାଉଛି ।