ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳ ଭାରତୀୟ ଜନତା ପାର୍ଟି ନିଜର ପ୍ରସ୍ତୁତିକୁ ବର୍ତ୍ତମାନଠାରୁ ହିଁ ଜୋରଦାର କରିଛି। ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ସରକାରୀ ଯୋଜନାର ସଫଳ ରୂପାୟନର ସିଧାସଳଖ ସମୀକ୍ଷା ପାଇଁ ଦଳ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଯାହାର ନାରା ରହିଛି- ‘ବୁଥ୍କୁ ଯିବେ ସରକାର’।
ଏହି କ୍ରମରେ ଆଜି ରାଜଧାନୀସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବୁଥ୍ ସ୍ତରୀୟ ସମୀକ୍ଷାର ବିଧିବଦ୍ଧ ଶୁଭାରମ୍ଭ କରିଛନ୍ତି।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଦୁଇଟି ନିର୍ଦ୍ଦିଷ୍ଟ ବୁଥର ନେତା ଓ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଏହି ଆଲୋଚନା ମୁଖ୍ୟତଃ ଦୁଇଟି ଦିଗ ଉପରେ କେନ୍ଦ୍ରିତ ଥିଲା। ପ୍ରଥମତଃ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପ୍ରକୃତ ହିତାଧିକାରୀଙ୍କ ପାଖରେ କିପରି ପହଞ୍ଚୁଛି ଏବଂ ଲୋକେ ଏହାର ସୁଫଳ ପାଉଛନ୍ତି କି ନାହିଁ, ସେ ନେଇ ମୁଖ୍ୟମନ୍ତ୍ରୀ ଟିକିନିଖି ପଚାରି ବୁଝିଥିଲେ। ଦ୍ୱିତୀୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ ଗହଳିରେ ବିଜେପିର ସାଂଗଠନିକ ସ୍ଥିତିକୁ କିଭଳି ଅଧିକ ମଜବୁତ ତଥା ସକ୍ରିୟ କରାଯାଇପାରିବ, ସେ ନେଇ ବୁଥ୍ ସ୍ତରୀୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବରିଷ୍ଠ ନେତା ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗୋଟିଏ ବୁଥର ନେତାଙ୍କ ସହ ବସି ସମୀକ୍ଷା କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁରେଶ ପୂଜାରୀ କହିଛନ୍ତି ଯେ, ଏହି ‘ବୁଥ୍ ସମୀକ୍ଷା’ କେବଳ ରାଜ୍ୟ କାର୍ଯ୍ୟାଳୟରେ ସୀମିତ ରହିବ ନାହିଁ, ବରଂ ଆଗାମୀ ଦିନରେ ଏହା ଏକ ବ୍ୟାପକ ଅଭିଯାନ ରୂପେ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ବୁଥ୍ର ସ୍ଥିତି ସମୀକ୍ଷା କରାଯିବ। ସରକାରଙ୍କ ସମସ୍ତ ମନ୍ତ୍ରୀ, ଦଳୀୟ ସାଂସଦ ଏବଂ ବିଧାୟକମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ତଥା ଦାୟିତ୍ୱରେ ଥିବା ଅଞ୍ଚଳର ବୁଥ୍କୁ ଯାଇ ସ୍ତରୀୟ ବୈଠକ କରିବେ।
ରାଜନୈତିକ ସମୀକ୍ଷକଙ୍କ ମତରେ, ରାଜ୍ୟରେ ସରକାର ଗଢ଼ିବା ପରେ ବିଜେପିର ଏହା ପ୍ରଥମ ବଡ଼ ଧରଣର ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ତେଣୁ ସରକାର ଓ ସଂଗଠନ ମଧ୍ୟରେ ଉତ୍ତମ ତାଳମେଳ ରକ୍ଷା କରି, ସରକାରୀ ଯୋଜନାର ସଫଳତାକୁ ନିର୍ବାଚନୀ ଅସ୍ତ୍ର ଭାବେ ବ୍ୟବହାର କରିବା ଲକ୍ଷ୍ୟରେ ବିଜେପି ଏହି ରଣନୀତି ପ୍ରସ୍ତୁତ କରିଛି।