Latest Odisha News

BREAKING NEWS

ଦିଲ୍ଲୀ ବିମାନବନ୍ଦରରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ଲାଗିଲା ନିଆଁ, ୬ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱିସ୍ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଭରିବା ପୂର୍ବରୁ ଏହାର ଇଞ୍ଜିନରେ ନିଆଁ ଲାଗିଯିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏଥିରେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁଇଜରଲ୍ୟାଣ୍ଡର ଜୁରିକ୍ ଅଭିମୁଖେ ଯାତ୍ରା କରୁଥିଲା ଏହି ବିମାନ ।

ସ୍ୱିସ୍ ଇଣ୍ଟରନ୍ୟାସନାଲ୍ ଏୟାର ଲାଇନ୍ସ (SWISS) ବିମାନ LX147 ର ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା, ଯାହା ଫଳରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ହେଲେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଆଉ ସଚେତନତା ଯୋଗୁଁ ଉଡ଼ାଣ ବାତିଲ କରାଯାଇଥିଲା, ଯାହା ଫଳରେ ଶହ ଶହ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଥିଲା ।

ଅଘଟଣ ପରେ, ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଜରୁରୀକାଳୀନ ସ୍ଲାଇଡ୍ ବ୍ୟବହାର କରି ତୁରନ୍ତ ଏବଂ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା । ଏୟାରଲାଇନ୍ସ ଅନୁଯାୟୀ, କିଛି ଯାତ୍ରୀଙ୍କୁ ସିଡ଼ି ବ୍ୟବହାର କରି ବାହାରକୁ ଅଣାଯାଇଥିଲା, କାରଣ ସେମାନେ ସ୍ଲାଇଡ୍ ବ୍ୟବହାର କରିପାରି ନଥିଲେ । ବିମାନରେ ଥିବା ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି । ବିମାନଟିରେ ମୋଟ ୨୨୮ ଜଣ ଯାତ୍ରୀ ଏବଂ ୪ ଜଣ ପିଲା ଥିଲେ ।

ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମିଶି ଏହି ଘଟଣାର ସବିଶେଷ ତଦନ୍ତ କରାଯିବ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ଏୟାରଲାଇନ୍ସ ସ୍ପଷ୍ଟ କରିଛି । ଏହି ଘଟଣା ପରେ ସ୍ୱିସ୍ ଏୟାରଲାଇନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି । ବିମାନବନ୍ଦରରେ ଫସି ରହିଥିବା ଯାତ୍ରୀମାନଙ୍କୁ ହୋଟେଲ ରହଣି ଏବଂ ଅନ୍ୟ ବିମାନରେ ଯାତ୍ରା କରିବା ପାଇଁ ସ୍ଥାନୀୟ ଟିମ୍ ସହାୟତା କରୁଛନ୍ତି ।

Leave A Reply

Your email address will not be published.