Latest Odisha News

BREAKING NEWS

ସେହି ଦିନ ଅପରାହ୍ନ ୪ଟା ୪୯ ମିନିଟ୍‌ରେ କ’ଣ ଘଟିଥିଲା? କ୍ୟାମେରାରେ କଏଦ ହେଲା ସୁଧୀରଙ୍କ ଅପହରଣ ପୂର୍ବର ରହସ୍ୟମୟ ଗତିବିଧି

ବ୍ରହ୍ମପୁର: କିଏ ଜାଣିଥିଲା ସେହି ଯାତ୍ରା ହିଁ ତାଙ୍କ ଜୀବନର ଶେଷ ଯାତ୍ରା ହେବ? କିଏ ବା ଅନୁମାନ କରିଥିଲା ଯେ, ଯେଉଁ ରାସ୍ତାରେ ସେ ପ୍ରତିଦିନ ଖେଳିବାକୁ ଯାଉଥିଲେ, ସେହି ରାସ୍ତାରେ ମୃତ୍ୟୁ ତାଙ୍କୁ ଛକି ବସିଛି? ବ୍ରହ୍ମପୁରର ବହୁଚର୍ଚ୍ଚିତ ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏବେ ଏମିତି ଏକ ଲୋମଟାଙ୍କୁରା ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯାହା ସମଗ୍ର ହତ୍ୟାକାଣ୍ଡର ରହସ୍ୟ ଉପରୁ ଆସ୍ତେ ଆସ୍ତେ ପରଦା ଉଠାଉଛି।

ସମୟ: ଅପରାହ୍ନ ୪ଟା ୪୯ ମିନିଟ୍, ତାରିଖ: ଏପ୍ରିଲ ୧୫
ପୋଲିସ ହାତରେ ଲାଗିଥିବା ଏହି ଏକ୍ସକ୍ଲୁସିଭ୍ ସିସିଟିଭି ଫୁଟେଜ୍‌ଟି ଗତ ଏପ୍ରିଲ ୧୫ ତାରିଖର। ସମୟ ଅପରାହ୍ନ ଠିକ୍ ୪ଟା ୪୯ ମିନିଟ୍। ଦୃଶ୍ୟପଟ୍ଟରେ ଦେଖିବାକୁ ମିଳୁଛି ଯେ, ସୁଧୀର ପାତ୍ର ନିଜ ବାଇକ୍‌ରେ ବସି ଭାବିନାରାୟଣପୁର ରାସ୍ତା ଦେଇ ଆଗକୁ ବଢ଼ୁଛନ୍ତି। ସେ ସେଦିନ ସବୁଦିନ ପରି ଭଲିବଲ୍ ଖେଳିବା ପାଇଁ ପଡ଼ିଆକୁ ବାହାରିଥିଲେ। କିନ୍ତୁ ତାଙ୍କୁ ଆଦୌ ଜଣାନଥିଲା ଯେ, ପଛରୁ ତାଙ୍କର ପ୍ରତିଟି ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ସୁଧୀରଙ୍କୁ ଅତି ଚତୁରତାର ସହ ଟ୍ରାକ୍ କରୁଥିଲେ ସୁପାରୀ କିଲର୍ ଓ ଷଡ଼ଯନ୍ତ୍ରକାରୀ। ସିସିଟିଭିରେ କଏଦ ଭିଜୁଆଲ୍‌ରେ ସୁଧୀରଙ୍କୁ ଶେଷ ଥର ପାଇଁ ଜୀବିତ ଦେଖିବାକୁ ମିଳିଛି। ସେହି ରାସ୍ତାରେ କିଛି ବାଟ ଆଗକୁ ଯିବା ପରେ ହିଁ ତାଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଅପହରଣ କରାଯାଇଥିଲା।

ସିସିଟିଭି ଫୁଟେଜ୍ ହସ୍ତଗତ ହେବା ପରେ ପୋଲିସ ନିଜ ତଦନ୍ତକୁ ଅଧିକ ତୀବ୍ର କରିଛି। ରିମାଣ୍ଡରେ ଥିବା ୫ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ ତଥା ମାଷ୍ଟରମାଇଣ୍ଡ କାଳୁ ପ୍ରଧାନକୁ ନେଇ ପୋଲିସ ଗତକାଲି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି। କାଳୁକୁ ଧରି ପୋଲିସ ଟିମ୍ ପ୍ରଥମେ ସେହି ଭଲିବଲ୍ ପଡ଼ିଆ ନିକଟକୁ ଯାଇଥିଲା। ସେଠାରୁ କିପରି ଏବଂ କେଉଁ ପରିସ୍ଥିତିରେ ସୁଧୀରଙ୍କୁ ଅପହରଣ କରାଗଲା ତାହା ବଖାଣିଥିଲା କାଳୁ। କେବଳ ସେତିକି ନୁହେଁ, ଅପହରଣ ପରେ କେଉଁ ସ୍ଥାନକୁ ନେଇ ସୁଧୀରଙ୍କୁ ନିସ୍ତୁକ ପିଟି ହତ୍ୟା କରାଯାଇଥିଲା, ସେହି ସ୍ଥାନ ମଧ୍ୟ ପୋଲିସକୁ ଦେଖାଇଥିଲା।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅପହରଣ ପରେ ସୁଧୀରଙ୍କୁ ଏକ ଅଜ୍ଞାତ ସ୍ଥାନରେ ବନ୍ଦୀ କରି ରଖାଯାଇଥିଲା। ସେଠାରେ ତାଙ୍କ ଉପରେ ଯେଉଁ ମାତ୍ରାରେ ଅକଥନୀୟ ଅତ୍ୟାଚାର କରାଯାଇଥିଲା, ତାହା ଶୁଣିଲେ ଯେକେହି ବିଚଳିତ ହୋଇପଡ଼ିବେ। ନିଜ ରକ୍ତ ସମ୍ପର୍କୀୟ ଝିଆରୀ ଓ ପୁତୁରା ଏଭଳି ବିଶ୍ୱାସଘାତକତା ଓ ବର୍ବରତା ଆଜିର ସମାଜରେ ମଣିଷପଣିଆ ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲଗାଇଦେଇଛି।

ଏହି ସିସିଟିଭି ଫୁଟେଜ୍ ଏବଂ କାଳୁର ସ୍ୱୀକାରୋକ୍ତି ପୋଲିସ ପାଇଁ ବଡ଼ ପ୍ରମାଣ ପାଲଟିଛି। ତେବେ ୨ କୋଟି ଟଙ୍କାର ଏହି ରକ୍ତାକ୍ତ ଖେଳ ପଛରେ କେବଳ ୯ ଜଣ ଅଛନ୍ତି ନା ଆଉ କାହାର ଅଦୃଶ୍ୟ ହାତ ରହିଛି, ତାହାର ଖୁଲାସା ଖୁବ୍ ଶୀଘ୍ର ହେବ ବୋଲି ପୋଲିସ ଆଶା ରଖିଛି। ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସୁଧୀର ପାତ୍ର ହତ୍ୟାକାଣ୍ଡର ଗୁମର ସେତିକି ରହସ୍ୟମୟ ହେବାରେ ଲାଗିଛି।

Leave A Reply

Your email address will not be published.