ନବରଙ୍ଗପୁର: ପୁଣି ହାଜତ ମୃତ୍ୟୁ ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଭିତରେ ଜଣେ ଗିରଫ ଅଭିଯୁକ୍ତର ଝୁଲନ୍ତା ମୃତଦେହ ଉଦ୍ଧାର। ମେଦେନା ପଞ୍ଚାୟତ ଅଂଚଳା ଗ୍ରାମର ପୂର୍ଣ୍ଣ କଳାର ନାମକ ଅଭିଯୁକ୍ତକୁ ଏକ ଅପହରଣ ମାମଲାରେ ଗିରଫ କରିଥିଲା ଡାବୁଗାଁ ପୋଲିସ। ପୁର୍ଣ୍ଣ କିଛି ଦିନ ତଳେ ସ୍ଥାନୀୟ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିଲା। ଆଜି କୋର୍ଟ ଚାଲାଣ ହୋଇଥାନ୍ତା ଅଭିଯୁକ୍ତ, କିନ୍ତୁ କୋର୍ଟ ଚାଲାଣ ପୂର୍ବରୁ ଆସାମୀ ଜଣକ ଆତ୍ମହତ୍ୟା କରିଛି। ଥାନା ଭିତରେ ଆସାମୀର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ହାଜତ ଭିତରେ ଗିରଫ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉତ୍ତେଜନା ଦେଖାଦେଇଛି। ମୃତ୍ୟୁ ଯୁବକଙ୍କ ପରିବାର ଲୋକେ ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନବରଙ୍ଗପୁରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଛନ୍ତି। ଏହାସହ ଥାନା ଭିତରେ ଆମ ପୁଅକୁ ପୋଲିସ ମାଡ଼ ମାରି ହତ୍ୟା କରିଦେଇଛନ୍ତି ଏବଂ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପରିବାର ଲୋକେ ଉତ୍ତେଜିତ ହୋଇ ରାସ୍ତା ରୋକ କରିଛନ୍ତି।
ଏହାସହ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆମ ପୁଅକୁ ଆମକୁ ଦେଖାଇ ଦିଅ ବୋଲି କହିବା ସହ ଥାନା ଆଗରେ ବସିଛନ୍ତି ସମ୍ପର୍କୀୟ ଓ ପରିବାର ଲୋକେ। କୌଣସି ପ୍ରକାର ଅପ୍ରତିକର ପରିସ୍ଥିତିକୁ ସାମନା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଡ଼ାବୁଗାଁ ଥାନାରେ ନଅ ଜଣ ଥାନାଧିକାରୀଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛିl ବର୍ତ୍ତମାନ ମୃତଦେହ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ଚିକିତ୍ସଳୟରେ ରହିଥିବା ବେଳେ ଶବ ପହଁଚିବା ପରେ ଉତ୍ତେଜନା ବୃଦ୍ଧି ପାଇବାର ସମ୍ଭାବନା ରହିଛି।