ନୂଆଦିଲ୍ଲୀ: ପତଳା ହେବା ପରେ ବଢ଼ିଗଲା ଆତ୍ମବିଶ୍ଵାସ
ସିଧା ସ୍ୱାମୀଙ୍କ ଆଗରେ ରଖିଲେ ଛାଡପତ୍ର
କହିଲେ, ‘I deserve better…’
କିନ୍ତୁ ଏହା ପଛର କାହାଣୀ ଶୁଣିଲେ ଆପଣ ବି ହୋଇଯିବେ ଭାବୁକ, କହିବେ, ଏହା ଆବଶ୍ୟକ ଥିଲା…ତେବେ ଗୋଟେ ନାରୀ ସବୁ ବେଳେ ଅନ୍ୟଙ୍କ ପାଇଁ ବଞ୍ଚେ। କେବେ ଝିଅ, କେବେ ସ୍ତ୍ରୀ ଆଉ ବାକିତକ ଜୀବନ ମାଆ ହୋଇ… କିନ୍ତୁ ଆଜିର ନାରୀ ନିଜ ପାଇଁ ବଞ୍ଚିବା ଶିଖୁଛି, ଝିଅ… ମାଆ… ସ୍ତ୍ରୀ ହେବା ସହିତ, ନିଜର ଏକ ସ୍ଵତନ୍ତ୍ର ପରିଚୟ ଗଢ଼ୁଛି। ସେଲ୍ଫ ଲଭକୁ ଉପଭୋଗ କରୁଛି। ତଥାପି ଅପରପକ୍ଷେ ସମାନ ସମୟରେ ଅନେକ ନାରୀ ଏବେବି ଅନ୍ୟପାଇଁ ବଞ୍ଚୁଛନ୍ତି। ଝିଅ, ମାଆ ଏବଂ ସ୍ତ୍ରୀ ନାମକ ଶିକୁଳି ତାଙ୍କ ପାଦରେ ଏତେ ଜୋରରେ ଭିଡ଼ା ହୋଇଛି ଯେ, ସେ ଚାହିଁଲେ ବି ମୁକୁଳି ପାରୁନାହାନ୍ତି। ସେମାନଙ୍କ ପାଇଁ ଏବେ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ବ୍ରିଟିଶ୍ ମହିଳା। ଜଣେ ମହିଳା ପାଇଁ ଶିକୁଳି ଛିଡାଇବାକୁ କେବଳ ଯେ ଗୋଟିଏ ଅସ୍ତ୍ର ଦରକାର, ଆଉ ତାହା ହେଉଛି ପ୍ରତିଟି ମହିଳାଙ୍କ ଆତ୍ମା ବିଶ୍ଵାସ। ଯାହା ଏବେ ପୁରା ସୋସିଆଲ ମିଡ଼ିଆର ମନ ଜିଣିଛି।
ଆମେ କହୁଛୁ, ବ୍ରିଟେନର ଜଣେ ୩୭ ବର୍ଷୀୟ ମହିଳା ନାଟାଲି ଷ୍ଟ୍ରେଞ୍ଜଙ୍କ କଥା। ସେ ୩ ସନ୍ତାନର ମାଆ। ଏହି ନିକଟରେ ତାଙ୍କ ଜୀବନର ଏକ ବଡ଼ ପରିବର୍ତ୍ତନ ଆସିଛି। ନିଜର ଦୃଢ଼ ଇଚ୍ଛାଶକ୍ତି ପାଇଁ ସେ ୬୩ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି। ଆକର୍ଷଣୀୟ କଥା ହେଉଛି, ସେ କେବଳ ଓଜନ କମେଇନାହାନ୍ତି ବରଂ ଆଗ ଅପେକ୍ଷା ଅଧିକ ଦୃଢ଼, ଆତ୍ମବିଶ୍ଵାସୀ ଏବଂ ନିଜକୁ ଅଧିକ ଭଲ ପାଉଥିବା ମଣିଷ ପାଲଟି ଯାଇଛନ୍ତି। ଆଉ ଏହି ପରିବର୍ତ୍ତନ ତାଙ୍କର ୧୮ ବର୍ଷର ସମ୍ପର୍କରେ ବି ପୂର୍ଣ୍ଣଚ୍ଛେଦ ପକାଇଛି।
ଏନେଇ ନର୍ୱିଚ୍ ର ବାସିନ୍ଦା ନାଟାଲି ଷ୍ଟ୍ରେଞ୍ଜ୍ କହିଛନ୍ତି ଯେ, ସେ ମୋଟା ଥିଲା ବେଳେ ତାଙ୍କ ସ୍ୱାମୀ ସବୁବେଳେ କହୁଥିଲେ, ସେ ଯେମିତି ଅଛନ୍ତି ସେ ତାଙ୍କୁ ସେମିତି ଭଲ ପାଆନ୍ତି। ଆଉ ଟ୍ରାନ୍ସଫର୍ମେସନ୍ ପରେ ଯେତେ ବେଳେ ନାଟାଲି ସୁନ୍ଦର ମୁହୂର୍ତ୍ତକୁ ଉପଭୋଗ କରୁଥିଲେ, ସେତେବେଳେ ସେ ବେଶ୍ ଖୁସି ହୋଇ ତାଙ୍କ ସ୍ୱାମୀଙ୍କୁ ପଚାରିଥିଲେ, “ତୁମେ ମୋତେ ସୁନ୍ଦର ଦେଖାଯାଉଛ ବୋଲି କହିବ ନାହିଁ କି?” ଆଉ ସ୍ୱାମୀଙ୍କ ଗୋଟିଏ ଉତ୍ତର ନାଟାଲିଙ୍କ ସବୁ ମୋହମାୟା ତୁଟାଇ ଦେଇଥିଲା। କାରଣ ସ୍ୱାମୀ ବିରକ୍ତିରେ ଉତ୍ତର ଦେଇଥିଲେ ଯେ: “ଏଥିପାଇଁ ତୁମର ଇନଷ୍ଟାଗ୍ରାମରେ ଫଲୋଅର୍ସ ଅଛନ୍ତି।”
ନାଟାଲି ପ୍ରଶ୍ନ କରିଥିଲେ, ଏହା କ’ଣ ଭଲପାଇବା ଥିଲା? ଯାହା ନାଟାଲିକୁ ସବୁବେଳେ ଦୁର୍ବଳ ରଖୁଥିଲା, ତାଙ୍କ ଆତ୍ମବିଶ୍ୱାସକୁ ମାରିଦେଇଥିଲା, ଆଉ ତାଙ୍କୁ ବୁଝାଇ ଦେଇଥିଲା ଯେ,ସେ ଅଯୋଗ୍ୟ, ସ୍ୱାମୀଙ୍କ ବିନା କିଛି ନୁହେଁ। ସେ ବୁଝିଥିଲେ ଯେ, ୧୮ ବର୍ଷ ଧରି ସେ କେବଳ “ସ୍ତ୍ରୀ” ଆଉ “ମାଆ” ହୋଇ ବଞ୍ଚୁଥିଲେ। ତାଙ୍କର ନିଜର କୌଣସି ଇଚ୍ଛା, ସ୍ୱପ୍ନ, ସମ୍ମାନ ନଥିଲା। କିନ୍ତୁ ପତଳା ହେବା ପରେ ସେ ସବୁକିଛି ଫେରିପାଇଲେ। ସେ ବୁଝି ଯାଇଥିଲେ ସେ ଅଧିକ ଭଲ ପାଇବା ପାଇଁ ଯୋଗ୍ୟ। ସମ୍ମାନ ପାଇଁ ଯୋଗ୍ୟ।”
ବେଳେ ବେଳେ ଓଜନ କମିଲେ କେବଳ ଦେହ ହାଲୁକା ହୁଏନି, ଆତ୍ମା ମଧ୍ୟ ଖୋଲା ଆକାଶରେ ଉଡିବାକୁ ଚାହେଁ। ଏହି କାହାଣୀ ସାମନାକୁ ଆସିବା ମାତ୍ରେ, ସୋସିଆଲ ମିଡିଆରେ ମନ୍ତବ୍ୟର ବର୍ଷା ହୋଇଥିଲା। କିଛି ଲୋକ ମହିଳାଙ୍କ ନିଷ୍ପତ୍ତିକୁ ସମର୍ଥନ କରି କହିଥିଲେ ଯେ ଯଦି କେହି ନିଜ ପାଇଁ ଏକ ଭଲ ଜୀବନ ଚାହାଁନ୍ତି, ତେବେ ଏହା ଭୁଲ ନୁହେଁ। ଯେତେବେଳେ କି ଅନ୍ୟମାନେ ଏହାକୁ ସମ୍ପର୍କ ପାଇଁ ଚିନ୍ତାର ବିଷୟ ବୋଲି କହି କହିଥିଲେ ଯେ କେବଳ ପରିବର୍ତ୍ତନ ଯୋଗୁଁ ସମ୍ପର୍କ ଭାଙ୍ଗିବା ଠିକ୍ ନୁହେଁ।