Latest Odisha News

BREAKING NEWS

ରିଟାୟାରମେଣ୍ଟ ପାଇଁ ୪୦ କୋଟି ଟଙ୍କା ଆବଶ୍ୟକ: କାହିଁକି ଏତେ ଟଙ୍କା ଦରକାର?

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ନିଜର ଅବସର ପାଇଁ ୧ ରୁ ୫ କୋଟି ଟଙ୍କାର ଯୋଜନା କରିଥାନ୍ତି। କିନ୍ତୁ ଯଦି କେହି କହେ ଯେ ଆପଣଙ୍କୁ ଅବସର ପରେ ଆରାମଦାୟକ ଜୀବନ ବଞ୍ଚିବା ପାଇଁ ୪୦ କୋଟି ଟଙ୍କା ଦରକାର, ତେବେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ନିକଟରେ ୱେଲ୍ଥ ମ୍ୟାନେଜମେଣ୍ଟ କମ୍ପାନୀ ‘ଡିଜର୍ଭ’ (Dezerv) ର କୋ-ଫାଉଣ୍ଡର ସନ୍ଦୀପ ଜେଠୱାନୀ ଏକ ପଡକାଷ୍ଟରେ ଏଭଳି ଏକ ଦାବି କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରଥମେ ଶୁଣିବାକୁ ଏହି ସଂଖ୍ୟାଟି ଅତ୍ୟଧିକ ବା ଅବାସ୍ତବ ଲାଗୁଥିଲେ ମଧ୍ୟ ସନ୍ଦୀପ ଏହା ପଛର ସମ୍ପୂର୍ଣ୍ଣ ଗଣିତ ବୁଝାଇଛନ୍ତି। ତାଙ୍କ ମତରେ, ସହରରେ ରହୁଥିବା ଲୋକଙ୍କ ଜୀବନଶୈଳୀ ଏବଂ ବଢୁଥିବା ମହଙ୍ଗା ମାଡ଼କୁ ହିସାବକୁ ନେଲେ ୬୦ ବର୍ଷ ବୟସ ବେଳକୁ ୪୦ କୋଟି ଟଙ୍କା ଏକ ଆବଶ୍ୟକତା ପାଲଟିଯିବ।

ସନ୍ଦୀପଙ୍କ ଗଣିତ ଅନୁଯାୟୀ, ବର୍ତ୍ତମାନ ସମୟରେ ଏକ ମେଟ୍ରୋ ସହରରେ ରହୁଥିବା ଉଚ୍ଚ-ମଧ୍ୟବିତ୍ତ ପରିବାରର ମାସିକ ଖର୍ଚ୍ଚ ହାରାହାରି ୨ ଲକ୍ଷ ଟଙ୍କା। ଏଥିରେ ଘର ଖର୍ଚ୍ଚ, ଗାଡ଼ି, ସ୍ୱାସ୍ଥ୍ୟସେବା, ପିଲାଙ୍କ ସ୍କୁଲ ଫିସ୍ ଏବଂ ଯାତ୍ରା ସାମିଲ ଅଛି। ଅଧିକାଂଶ ଲୋକ ମୁଦ୍ରାସ୍ଫୀତିକୁ ୫-୬% ଧରି ହିସାବ କରନ୍ତି। କିନ୍ତୁ ବାସ୍ତବରେ ସ୍ୱାସ୍ଥ୍ୟସେବାରେ ୧୨-୧୪% ଏବଂ ଶିକ୍ଷା ଓ ଜୀବନଶୈଳୀରେ ୮-୧୦% ମୁଦ୍ରାସ୍ଫୀତି ରହୁଛି। ତେଣୁ ହାରାହାରି ଏହା ୯% ହୋଇଯାଏ।

ଯଦି ଏହି ୯% ମୁଦ୍ରାସ୍ଫୀତିକୁ ଆଜିର ୨ ଲକ୍ଷ ଟଙ୍କା ସହ ୨୦ ବର୍ଷ ପାଇଁ ହିସାବ କରାଯାଏ, ତେବେ ୬୦ ବର୍ଷ ବୟସ ବେଳକୁ ଏହି ମାସିକ ଖର୍ଚ୍ଚ ବଢ଼ି ୧୧.୨ ଲକ୍ଷ ଟଙ୍କା ହୋଇଯିବ। ଅର୍ଥାତ୍ ବାର୍ଷିକ ୧.୩୪ କୋଟି ଟଙ୍କା କେବଳ ଖର୍ଚ୍ଚ ହେବ।

ସନ୍ଦୀପ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିକାଲି ଲୋକଙ୍କ ବଞ୍ଚିବାର ହାରାହାରି ବୟସ ବଢ଼ିଲାଣି। ସହରାଞ୍ଚଳରେ ଲୋକମାନେ ୮୫ ରୁ ୯୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାର ସମ୍ଭାବନା ଅଧିକ। ତେଣୁ ୬୦ ବର୍ଷରେ ଅବସର ନେବା ପରେ ଆଗାମୀ ୩୦ ବର୍ଷ ପାଇଁ ବାର୍ଷିକ ୧.୩୪ କୋଟି ଟଙ୍କା ହିସାବରେ ମୋଟ ୪୦ କୋଟି ଟଙ୍କା ଆବଶ୍ୟକ ହେବ। ଏହା ସହ ସେ ଦର୍ଶାଇଛନ୍ତି ଯେ, ଯଦି ଅବସର ପରେ ଆପଣଙ୍କ ପାଣ୍ଠି ୯% ରିଟର୍ଣ୍ଣ ଦିଏ ଆଉ ମୁଦ୍ରାସ୍ଫୀତି ମଧ୍ୟ ୯% ରହେ, ତେବେ ପ୍ରକୃତ ରିଟର୍ଣ୍ଣ ‘ଶୂନ’ ହୋଇଯାଏ।

ଏହି ୪୦ କୋଟି ଟଙ୍କାର ଆକଳନ ଲୋକଙ୍କୁ ଡରାଇବା ପାଇଁ ନୁହେଁ, ବରଂ ମୁଦ୍ରାସ୍ଫୀତି ଏବଂ ଦୀର୍ଘକାଳୀନ ଯୋଜନା ସମ୍ପର୍କରେ ସଚେତନ କରିବା ପାଇଁ ଦିଆଯାଇଛି ବୋଲି ସନ୍ଦୀପ ସ୍ପଷ୍ଟ କରିଛନ୍ତି। ଆଜିର ୪.୨ କୋଟି ଟଙ୍କା ହିଁ ୨୦ ବର୍ଷ ପରେ ୧୨% ସୁଧ ହାରରେ ୪୦ କୋଟିରେ ପରିଣତ ହେବ ବୋଲି ସେ ବୁଝାଇଛନ୍ତି।

Leave A Reply

Your email address will not be published.