ନୂଆଦିଲ୍ଲୀ: ନିର୍ବାଚନର ଠିକ୍ ୪୮ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ ହୋଇଯାଏ ଏବଂ ନୀରବତା ଅବଲମ୍ବନ କରାଯାଏ। ଏହି ସମୟକୁ ‘ଇଲେକ୍ସନ୍ ସାଇଲେନ୍ସ’ ବୋଲି କୁହାଯାଏ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୀରବତାର ମଧ୍ୟ ବେଶ୍ ଚତୁରତାର ସହ ରାଜନୈତିକ ଫାଇଦା ଉଠାଇବାରେ ମାହିର। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି। ବେଙ୍ଗଲରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ମୋଦି ଏକଦମ୍ ନୀରବ ରହି ମଧ୍ୟ ନିଜର ବାର୍ତ୍ତା ସ୍ପଷ୍ଟ ଭାବେ ଲୋକଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି।
ମଙ୍ଗଳବାର ଦିନ ବେଙ୍ଗଲରେ ମତଦାନ ପୂର୍ବରୁ ମୋଦି ସିକ୍କିମରେ ପହଞ୍ଚି ଛୋଟ ପିଲାଙ୍କ ସହ ଫୁଟବଲ୍ ଖେଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ଫୁଟବଲ୍ ପ୍ରତି ବେଙ୍ଗଲିଙ୍କ କେତେ ଦୁର୍ବଳତା ରହିଛି, ତାହା କାହାକୁ ଅଛପା ନାହିଁ। ମୋଦି ଫିଲ୍ଡରେ ଗୋଲ୍ କରିବା ସହ ନିର୍ବାଚନୀ ମୈଦାନରେ ବି ବେଙ୍ଗଲି ଭୋଟରଙ୍କ ମନ ଜିଣିବାର ପ୍ରୟାସ କରିଥିଲେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
ସେହିପରି ବୁଧବାର ଦିନ ବେଙ୍ଗଲରେ ଭୋଟିଂ ଚାଲିଥିବା ବେଳେ ମୋଦି ଉତ୍ତରପ୍ରଦେଶର ହରଦୋଇରେ ‘ଗଙ୍ଗା ଏକ୍ସପ୍ରେସୱେ’ର ଉଦଘାଟନ କରିଛନ୍ତି। ‘ଗଙ୍ଗା’ ଶବ୍ଦ ସହ ବେଙ୍ଗୱର ସାଂସ୍କୃତିକ ଓ ଧାର୍ମିକ ଭାବନା ଜଡ଼ିତ ରହିଛି। ଗଙ୍ଗାସାଗର ମେଳା ଠାରୁ ଆରମ୍ଭ କରି ହୁଗୁଳି ନଦୀ ପର୍ଯ୍ୟନ୍ତ ଏହି ନାମର ଏକ ସ୍ୱତନ୍ତ୍ର ପ୍ରଭାବ ରହିଛି। ସେଠାରେ ରହି ମଧ୍ୟ ମୋଦି ବିନା କୌଣସି ଭାଷଣରେ ୧,୧୧୦ କିଲୋମିଟର ଦୂର ବଙ୍ଗାଳୀ ଭୋଟରଙ୍କୁ ଆକୃଷ୍ଟ କରିବାର ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି।
ଏହାର ଠିକ୍ ବିପରୀତ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ସମୟରେ ଆଣ୍ଡାମାନର ଗ୍ରେଟ୍ ନିକୋବର ଦ୍ୱୀପରେ ଏକ ଭିତ୍ତିଭୂମି ପ୍ରକଳ୍ପକୁ ‘ସବୁଠୁ ବଡ଼ ଦୁର୍ନୀତି’ କହି ସମାଲୋଚନା କରୁଥିଲେ, ଯାହାକି ବେଙ୍ଗଲର ‘ଭଦ୍ରଲୋକ’ ଭୋଟରଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପକାଇଲା ନାହିଁ।
ମୋଦିଙ୍କ ଏହି ରଣନୀତି ନୂଆ ନୁହେଁ। ଅତୀତରେ ମଧ୍ୟ ସେ ନିର୍ବାଚନ ସମୟରେ ଅନେକ ବାର ଏଭଳି ବାର୍ତ୍ତା ଦେଇଛନ୍ତି: ୨୦୨୧ରେ ନିର୍ବାଚନ ବେଳେ ମାର୍ଚ୍ଚ ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ମୋଦି ବାଂଲାଦେଶର ଓରାକାଣ୍ଡିରେ ମତୁଆ ସମ୍ପ୍ରଦାୟର ଗୁରୁ ହରିଚାନ୍ଦ ଠାକୁରଙ୍କ ଜନ୍ମସ୍ଥାନରେ ପହଞ୍ଚିଥିଲେ। ପଶ୍ଚିମବଙ୍ଗର ମତୁଆ ଭୋଟରଙ୍କର ଏକ ବଡ଼ ପ୍ରଭାବ ରହିଛି।
ସେହିପରି ଦିଲ୍ଲୀ ନିର୍ବାଚନ ଦିନ ମୋଦି ମହାକୁମ୍ଭରେ ଯୋଗ ଦେଇ ସଙ୍ଗମରେ ବୁଡ଼ ପକାଇଥିଲେ, ଯାହା ସେତେବେଳେ ହିନ୍ଦୁତ୍ୱ ଭୋଟ୍ ବ୍ୟାଙ୍କକୁ ଆକୃଷ୍ଟ କରିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି ବିରୋଧୀ ଅଭିଯୋଗ କରିଥିଲେ।
୨୦୨୪ ଲୋକସଭା ନିର୍ବାଚନ ବେଳେ ଫଳାଫଳ ଘୋଷଣା ପୂର୍ବରୁ କନ୍ୟାକୁମାରୀର ବିବେକାନନ୍ଦ ରକ୍ ମେମୋରିଆଲରେ ମୋଦିଙ୍କ ୪୫ ଘଣ୍ଟିଆ ଧ୍ୟାନ ମଧ୍ୟ ତାଙ୍କ ନୀରବ ବାର୍ତ୍ତାର ଏକ ବଳିଷ୍ଠ ଉଦାହରଣ ଥିଲା।
ମୋଟାମୋଟି ଭାବେ କହିବାକୁ ଗଲେ, ସୋସିଆଲ ମିଡିଆ ଯୁଗରେ ପ୍ରତ୍ୟକ୍ଷ ଭାଷଣ ଅପେକ୍ଷା ମୋଦିଙ୍କ ଏହି ନୀରବ ପଦକ୍ଷେପ ଓ ଦୃଶ୍ୟମାନ ବାର୍ତ୍ତା ତାଙ୍କ ଟାର୍ଗେଟ୍ ଅଡିଏନ୍ସ ଙ୍କ ପାଖରେ ବହୁତ ଶୀଘ୍ର ଏବଂ ପ୍ରଭାବଶାଳୀ ଢଙ୍ଗରେ ପହଞ୍ଚିପାରୁଛି।