ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟରେ ୫୦ ଶତକ ଓ ୨୦୦୦୦ ରନ କରିଥିବା ରୋହିତ ଶର୍ମା ଜଣେ ବ୍ୟାଟ୍ସମ୍ୟାନ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ବିସ୍ଫୋରକ ବ୍ୟାଟିଂ ଯୋଗୁ ସେ ହିଟମ୍ୟାନ ଭାବେ ମଧ୍ୟ ପରିଚିତ । ତେବେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରୋହିତ ଅଫ ସ୍ପିନର ଭାବେ କ୍ୟାରିୟର ଆରମ୍ଭ କରିବାକୁ ମନସ୍ଥ କରିଥିଲେ । ଏପ୍ରିଲ ୩୦ରେ ରୋହିତ ୩୯ ବର୍ଷରେ ପଦାର୍ପଣ କରିଛନ୍ତି । ଚୟନରେ ବ୍ୟାଟ୍ସମ୍ୟାନଙ୍କ ଲମ୍ବା ଲାଇନ ଦେଖି ରୋହିତ ହତାଶ ହୋଇ ପଡିଥିଲେ । ସେ ଅଫ ସ୍ପିନର ଭାବେ ନିଜକୁ ସାମିଲ କରାଇଲେ ।
ଏହା ପରେ ଜଣେ ସ୍ପିନର ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କୁ ବୋଲିଂ କରୁଥିବା ଦେଖି କୋଚ ଦୀନେଶ ଲାଡ ପ୍ରଭାବିତ ହୋଇଥିଲେ । ସେ ରୋହିତଙ୍କୁ ତାଙ୍କ ସ୍କୁଲ ପକ୍ଷରୁ ଖେଳିବା ପାଇଁ ପ୍ରସ୍ତାବ ଦେଇଥିଲେ । କିଛି ଦିନ ପରେ ସ୍କୁଲରେ ଜଣେ ଅଲରାଉଣ୍ଡରଙ୍କ ଆବଶ୍ୟକତା ରହିଥିଲା । ରୋହିତ ଏହି ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ । ଧୀରେ ଧୀରେ ସେ ବ୍ୟାଟିଂରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ଏବେ ଆନ୍ତର୍ଜାତୀୟ କ୍ରିକେଟରେ ଜଣେ ଓପନର ଭାବେ ସେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ।