ଭୁବନେଶ୍ବର: କେନ୍ଦୁଝରରେ କଙ୍କାଳ ଘଟଣାକୁ ନେଇ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଦଳ ନେତା ଓ ଉପମୁଖ୍ୟମନ୍ତ୍ରୀ । କଙ୍କାଳ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ମାଟି ତଳୁ କଙ୍କାଳ କାଢି ପ୍ରମାଣ ଦେବା କିଭଳି ମହିଳା ସଶକ୍ତିକରଣ ବୋଲି ସେ ପ୍ରଶ୍ନ କରିଛନ୍ତି ।
ନବୀନ କହିଛନ୍ତି, ଡବଲ୍ ଇଞ୍ଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି । ଓଡିଶାରେ ମହିଳା ଅସୁରକ୍ଷିତ ବୋଲି କହିଥିଲା ଆମେରିକା । ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡିଶାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇଥିଲେ । ୨୦୦୦ ମସିହାରେ ମୋ ସରକାର ୫୦ ପ୍ରତିଶତ ସଂରକ୍ଷଣ ଦେଇଥିଲା । ମହିଳାଙ୍କ ପାଇଁ ବିଜେପି ବିଧାୟକ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ କହିଛନ୍ତି ।
ସେପଟେ ଗୃହରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଦାନା ମାଝୀ ଘଟଣାରେ ଓଡ଼ିଶା ନିନ୍ଦିତ ହୋଇଥିଲା । ସେତେବେଳେ ନବୀନ ବାବୁ କ’ଣ କରୁଥିଲେ? ଆଜି କହୁଛନ୍ତି ବିଜେପି ବିଧାୟକ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି । ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହି କଡା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।