ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଜଗତରେ ଏକ ବଡ଼ ଧରଣର କର୍ପୋରେଟ୍ ଡିଲ୍ ସାମ୍ନାକୁ ଆସିଛି। ୨୦୦୮ ମସିହାର ପ୍ରଥମ ଆଇପିଏଲ୍ ଚାମ୍ପିଅନ୍ ‘ରାଜସ୍ଥାନ ରୟାଲ୍ସ’ ଏବେ ନୂଆ ମାଲିକଙ୍କ ହାତକୁ ଯିବାକୁ ବସିଛି। ବ୍ରିଟିଶ୍-ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ନିବାସ ମିତ୍ତଲ (ଏଲ୍.ଏନ୍ ମିତ୍ତଲ) ଏବଂ ତାଙ୍କ ପରିବାର, ସିରମ୍ ଇନଷ୍ଟିଚ୍ୟୁଟ୍ର ସିଇଓ ଆଦର ପୂନାୱାଲାଙ୍କ ସହ ମିଶି ଏହି ଲୋକପ୍ରିୟ ଫ୍ରାଞ୍ଚାଇଜିକୁ କିଣିଛନ୍ତି।
ଏହି ମେଗା ଡିଲ୍ର ମୂଲ୍ୟ ପ୍ରାୟ ୧.୬୫ ବିଲିୟନ୍ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ହାରାହାରି ୧୫,୬୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସବୁଠାରୁ ଖାସ୍ କଥା ହେଉଛି, କେବଳ ରାଜସ୍ଥାନ ରୟାଲ୍ସ ନୁହେଁ, ବରଂ ଏହି ଡିଲ୍ରେ ଦକ୍ଷିଣ ଆଫ୍ରିକା ଲିଗ୍ର ‘ପାର୍ଲ ରୟାଲ୍ସ’ (Paarl Royals) ଏବଂ କ୍ୟାରିବିୟନ୍ ପ୍ରିମିୟର ଲିଗ୍ର ‘ବାର୍ବାଡୋସ୍ ରୟାଲ୍ସ’ (Barbados Royals) ଟିମ୍ ମଧ୍ୟ ସାମିଲ ଅଛନ୍ତି।
ଚୁକ୍ତି ଅନୁଯାୟୀ, ଡିଲ୍ ଫାଇନାଲ୍ ହେବା ପରେ ମିତ୍ତଲ ପରିବାର ପାଖରେ ଫ୍ରାଞ୍ଚାଇଜିର ସର୍ବାଧିକ ୭୫ ପ୍ରତିଶତ ଅଂଶଧନ ରହିବ। ସେହିପରି ଆଦର ପୂନାୱାଲାଙ୍କ ପାଖରେ ୧୮ ପ୍ରତିଶତ ସେୟାର ରହିବ। ବାକି ୭ ପ୍ରତିଶତ ଅଂଶଧନ ମନୋଜ ବଡାଲେଙ୍କ ସମେତ ଅନ୍ୟ ପୁରୁଣା ନିବେଶକମାନଙ୍କ ପାଖରେ ସଂରକ୍ଷିତ ରହିବ।
ତେବେ ଟିମ୍ ମ୍ୟାନେଜମେଣ୍ଟରୁ ମନୋଜ ବଡାଲେ ସମ୍ପୂର୍ଣ୍ଣ ରୂପେ ବିଦାୟ ନେବେ ନାହିଁ। ସେ ଦଳ ସହ ଯୋଡ଼ି ହୋଇ ରହିବା ସହ ପୁରୁଣା ଓ ନୂଆ ମାଲିକଙ୍କ ମଧ୍ୟରେ ଏକ ସେତୁ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ।
ଏହି ବହୁଚର୍ଚ୍ଚିତ ଡିଲ୍ ତୁରନ୍ତ ଲାଗୁ ହେବ ନାହିଁ। ଏଥିପାଇଁ ବିସିସିଆଇ (BCCI), କମ୍ପିଟିସନ୍ କମିଶନ୍ ଅଫ୍ ଇଣ୍ଡିଆ (CCI) ଏବଂ ଆଇପିଏଲ୍ ଗଭର୍ଣ୍ଣିଂ କାଉନ୍ସିଲ୍ର ବିଧିବଦ୍ଧ ଅନୁମୋଦନ ଲୋଡ଼ା। ଏହି ସମସ୍ତ ଆନୁଷ୍ଠାନିକ ପ୍ରକ୍ରିୟା ଶେଷ ହେବା ପରେ, ଆଗାମୀ ୨୦୨୬ ମସିହାର ତୃତୀୟ ତ୍ରୈମାସିକ ସୁଦ୍ଧା ଡିଲ୍ ଟି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି।