ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୋଟିଏ ପରେ ଗୋଟିଏ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଆରସିବି ଓ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ପରେ ଚେନ୍ନାଇଙ୍କ ପୂର୍ବତନ ଖେଳାଳି ଏସ.ବଦ୍ରିନାଥଙ୍କ କୃଣାଳ ପାଣ୍ଡ୍ୟାଙ୍କୁ ନେଇ ଦେଇଥିବା ବୟାନ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚରେ ଆରସିବି ଶେଷ ବଲରେ ବିଜୟ ହାସଲ କରିଥିଲା । କୃଣାଳ ୪୬ ବଲରେ ୩ ଛକା ଓ ୪ ଚୌକା ସହାୟତାରେ ୭୩ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । କୃଣାଳ ମାଂସପେଶୀଜନିତ ସମସ୍ୟାରେ ପଡିଥିଲେ । ଯନ୍ତ୍ରଣା ସତ୍ୱେ ସେ ମ୍ୟାଚ ଖେଳିବା ଜାରୀ ରଖିଥିଲେ ।
କୃଣାଳ ଯନ୍ତ୍ରଣାରେ ତଳେ ପଡି ଚିତ୍କାର କରିବା ବେଳେ ମୁମ୍ବାଇର ୱିକେଟକିପର ର୍ୟାନ ରିକେଲଟେନ ଖେଳୁଆଡ ମନୋଭାବ ଦେଖାଇ ତାଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ । ଏହି ସମୟରେ ବଦ୍ରିନାଥଙ୍କ ପ୍ରତିକ୍ରିୟାକୁ କ୍ରିକେଟପ୍ରେମୀମାନେ ଗ୍ରହଣ କରିପାରି ନାହାନ୍ତି । ସେ କହିଥିଲେ କୃଣାଳଙ୍କୁ ପଡିଆରେ ମରିବାକୁ ଦିଅ । ତାହାହେଲେ ମୁମ୍ବାଇ ଜିତିପାରିବ । ପରେ ଅବଶ୍ୟ ସେ ଏହା କହି ନାହାନ୍ତି ବୋଲି ସଫେଇ ଦେଇଛନ୍ତି ।