ଭୁବନେଶ୍ୱର: ୧୮ ବର୍ଷୀୟ ଯୁବକଙ୍କ ଦରପୋଡା ମୃତଦେହ ଠାବ ଘଟଣାରେ ନୂଆ ମୋଡ଼। ଇନଷ୍ଟାଗ୍ରାମ ପ୍ରେମରୁ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ପୁଅର ପରିବାର ଲୋକେ। ସୋମବାର ନୟାଗଡ ଜିଲ୍ଲାରେ ରାସ୍ତା କଡ଼ରେ ଥିବା ଏକ ନାଳରେ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଘଟଣା ଏବେ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକଙ୍କ ସୋସିଆଲ ମିଡିଆ ଷ୍ଟାଟସ୍ ତାଙ୍କ ମୃତ୍ୟୁର କାରଣକୁ ଆହୁରି ଘନିଷ୍ଠ କରିଛି।
ମୃତ ଯୁବକ ହେଉଛନ୍ତି ଖଣ୍ଡପଡା ଥାନା କନ୍ଧମିଗିରୀ ଗାଁର ୧୮ ବର୍ଷୀୟ ସଞ୍ଜୟ ପ୍ରଧାନ। ତେବେ ମୃତକ ଜଣକ ତାଙ୍କର ଇଷ୍ଟାଗ୍ରାମ ଷ୍ଟାଟସରେ ‘ଆଜି ରାତି ଗଲେ ପାହି, ଜାଳିବ ମୋ ଜୁଇ’ ଗୀତ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ନେଇ ବର୍ତ୍ତମାନ ଅନେକ ସନ୍ଦେହ ସୃଷ୍ଟି କରୁଛି। ମୃତକଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ, ସଞ୍ଜୟଙ୍କର ଇନଷ୍ଟାଗ୍ରାମରେ ହୋଇଥିଲା ପ୍ରେମ। ପରେ ଟଙ୍କା ପାଇଁ ହତ୍ୟା କରାଯାଇଛି। ମୃତ ଯୁବକ ସଞ୍ଜୟ ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କରେ ଥିଲେ । ସମ୍ପୃକ୍ତ ମହିଳା ଜଣକ ସଞ୍ଜୟଙ୍କୁ ସବୁବେଳେ ଟଙ୍କା ମାଗୁଥିଲେ। ଟଙ୍କା ନଦେବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ମାଆ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗଣିଆ ଥାନା ସୀମା ଅନ୍ତର୍ଗତ ବାଲିସାହି ଗାଁ ନିକଟରେ କିଛି ଯାତ୍ରୀ ଦରପୋଡା ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଗଣିଆ ଥାନାର ଏକ ଦଳ ଇନ୍ସପେକ୍ଟର ଟଙ୍କଧର ଛତ୍ରିଆଙ୍କ ନେତୃତ୍ୱରେ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଘଟଣାସ୍ଥଳରୁ ଏକ ପେଟ୍ରୋଲ ବୋତଲ, ଜୋତା ଏବଂ ଚିରା ପୋଷାକ ଜବତ କରିଛି ପୋଲିସ।
ଅନ୍ୟପଟେ ସଞ୍ଜୟଙ୍କ ମାଆ ଡଲି ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି, “ଦୁର୍ବୃତ୍ତମାନେ ତାଙ୍କ ପୁଅକୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଛନ୍ତି। ସଞ୍ଜୟ ଗତ କିଛି ଦିନ ଧରି ଭୁବନେଶ୍ୱରର ଏକ ଫର୍ଣ୍ଣିଚର ଦୋକାନରେ କାମ କରୁଥିଲା। ସେ ପୂର୍ବ ସନ୍ଧ୍ୟାରେ ଘରକୁ ଫେରିବ ବୋଲି କହିଥିଲା। ଦୋକାନ ମାଲିକ ଗତକାଲି ମୋତେ ଫୋନ୍ କରି କହିଥିଲେ ଯେ ସଞ୍ଜୟ ସନ୍ଧ୍ୟା ସୁଦ୍ଧା ଘରକୁ ପହଞ୍ଚିଯିବ। କିନ୍ତୁ ସେ ଆଉ ଫେରିନଥିଲା। ଆଜି, ଆମେ ଗଣିଆ ଅଞ୍ଚଳରେ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପାଇଲୁ। କେହି ଜଣେ ତାଙ୍କୁ ହତ୍ୟା କରି ଅପରାଧ ଲୁଚାଇବା ପାଇଁ ମୃତଦେହ ପୋଡ଼ି ଦେବାକୁ ଚେଷ୍ଟା କରିଥିବେ।”
ଆଜି ସକାଳୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ ଆଗକୁ ବଢ଼ାଇଛି । ନୟାଗଡ଼ରୁ ଏକ ୩ ଜଣିଆ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଖୁବ ଶୀଘ୍ର ଅପରାଧୀ ନିକଟରେ ପହଞ୍ଚି ପାରିବ ବୋଲି ପୋଲିସ ଆଶା କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡଗାଁ ଅଞ୍ଚଳରେ ଆଉ ଏକ ହତ୍ୟା ଘଟଣା ପରେ ନୟାଗଡ଼ ଜିଲ୍ଲାରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଏହି ଘଟଣା ଘଟିଛି। ଷଡଯନ୍ତ୍ର କରି କିଏ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ଗଣିଆ ଥାନାରେ ଅଭିଯୋଗ କରିଛନ୍ତି।