Latest Odisha News

BREAKING NEWS

ମୁମ୍ବାଇ ପରେ ଏବେ ଛତିଶଗଡ଼ରେ ତରଭୁଜ ଆତଙ୍କ: ଫୁଡ୍ ପଏଜନ ସନ୍ଦେହ; ୧୫ ବର୍ଷୀୟ ନାବାଳକର ମୃତ୍ୟୁ

ରାୟପୁର: ଖରାଦିନେ ତରଭୁଜ ଖାଇବା ଶରୀର ପାଇଁ ବେଶ୍ ଲାଭଦାୟକ ବୋଲି କୁହାଯାଏ। କିନ୍ତୁ ଏହି ସ୍ୱାଦିଷ୍ଟ ଫଳ ଯେ କାହାର ଜୀବନ ନେଇପାରେ, ତାହା ହୁଏତ କେହି କଳ୍ପନା କରିନଥିବେ। ମୁମ୍ବାଇର ଏକ ହୃଦୟ ବିଦାରକ ଘଟଣା ପରେ, ଏବେ ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲାରୁ ଏକ ସମାନ ଧରଣର ଅଭାବନୀୟ ଖବର ସାମ୍ନାକୁ ଆସିଛି। ଫୁଡ୍ ପଏଜନିଂ କାରଣରୁ ତରଭୁଜ ଖାଇ ଜଣେ ୧୫ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ୩ ଜଣ ପିଲା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳକ ଜଣକ ହେଲେ ପୋଡି ଦଲହା ଗ୍ରାମର ଅଖିଲେଶ ଧିବର। ଅଖିଲେଶ ଓ ଅନ୍ୟ ତିନିଜଣ ପିଲା ଘୁରକୋଟ ଗ୍ରାମରେ ଥିବା ନିଜ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ। ସେଠାରେ ସେମାନେ ତରଭୁଜ ଖାଇଥିଲେ। କିନ୍ତୁ ଡାକ୍ତରଙ୍କ କହିବା ଅନୁସାରେ, ତରଭୁଜଟିକୁ ସକାଳୁ କାଟି ରଖାଯାଇଥିଲା ଏବଂ ପିଲାମାନେ ତାହାକୁ ଅନେକ ଘଣ୍ଟା ପରେ ଅର୍ଥାତ୍ ସନ୍ଧ୍ୟା ସମୟରେ ଖାଇଥିଲେ।

ଖାଇବାର କିଛି ଘଣ୍ଟା ପରେ ହଠାତ୍ ସେମାନଙ୍କର ପ୍ରବଳ ବାନ୍ତି ହେବା ସହ ଝାଡ଼ା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଅବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଅଖିଲେଶ ଆଉ ନଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ତିନି ଜଣ ପିଲା ଯେଉଁମାନଙ୍କ ବୟସ ୪ ରୁ ୧୩ ବର୍ଷ ମଧ୍ୟରେ ଏବେ ବି ଜରୁରୀକାଳୀନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ଏଭଳି ଏକ ସମ୍ବେଦନଶୀଳ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ହରକତକୁ ଆସିଛନ୍ତି। ତଦନ୍ତ ପାଇଁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଭିସେରା ନମୁନା ସଂଗ୍ରହ କରି ଫରେନ୍ସିକ୍ ଲ୍ୟାବକୁ ପଠାଇଛନ୍ତି। କେବଳ ସେତିକି ନୁହେଁ, ଉକ୍ତ ଘରେ ଥିବା ଅନ୍ୟ ଏକ ତରଭୁଜକୁ ମଧ୍ୟ ଖାଦ୍ୟ ସୁରକ୍ଷା ବିଭାଗ ନିଜ ହେପାଜତକୁ ନେଇ ପରୀକ୍ଷାଗାରକୁ ପଠାଇଛି। ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଉପରୁ ପରଦା ହଟିବ ବୋଲି ଅଧିକାରୀମାନେ ମତ ରଖିଛନ୍ତି।

ଏହି ଘଟଣା କିଛି ସପ୍ତାହ ତଳେ ମୁମ୍ବାଇରେ ଘଟିଥିବା କଥାକୁ ପୁଣି ଥରେ ମନେ ପକାଇ ଦେଇଛି। ସେଠାରେ ମଧ୍ୟ ଗୋଟିଏ ପରିବାରର ୪ ଜଣ ସଦସ୍ୟ ତରଭୁଜ ଖାଇବା ପରେ ପ୍ରାଣ ହରାଇଥିଲେ। ପ୍ରଥମେ ଏହାକୁ ଫୁଡ୍ ପଏଜନିଂ ବୋଲି ଧରିନିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଫରେନ୍ସିକ୍ ରିପୋର୍ଟ ଯେଉଁ ଖୁଲାସା କଲା, ତାହା ସମସ୍ତଙ୍କୁ ଚମକାଇ ଦେଇଥିଲା। ରିପୋର୍ଟରୁ ଜଣାପଡ଼ିଲା ଯେ, ସେହି ତରଭୁଜରେ ‘ଜିଙ୍କ୍ ଫସଫାଇଡ୍’ (ସାଧାରଣତଃ ମୂଷା ମାରିବା ପାଇଁ ବ୍ୟବହୃତ ହେଉଥିବା ଏକ ପ୍ରକାର ବିଷ) ମିଶିଥିଲା। ଫଳରେ ଫଳ ଭିତରେ ଜୀବାଣୁଜନିତ ସଂକ୍ରମଣର ତତ୍ତ୍ୱକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରାଯାଇଥିଲା।

ତେବେ ଛତିଶଗଡ଼ର ଏହି ତାଜା ଘଟଣାର ମୁମ୍ବାଇ ଘଟଣା ସହ କୌଣସି ସିଧାସଳଖ ଲିଙ୍କ୍ ଅଛି କି ନାହିଁ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.