ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ! ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବଡ଼ କାର୍ଯ୍ୟକ୍ରମର ପ୍ରସ୍ତୁତି
ଭୁବନେଶ୍ୱର: ଯଦିଓ ଦେଶରେ ତେଲ ସଙ୍କଟ ପାଇଁ ବିଭିନ୍ନ ଜନ ସମାବେଶକୁ ସରକାର ବାତିଲ କରିଛନ୍ତି। ଏହାରି ଭିତରେ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ନିଜ ଶାସନ କାଳର ଦୁଇ ବର୍ଷ ସଫଳତାର ସହ ପୂରଣ କରିବାକୁ ଯାଉଛନ୍ତି। ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କେବଳ ଏକ ଉତ୍ସବ ନୁହେଁ, ବରଂ ଆଗାମୀ ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଶାଣିତ କରିବାର ଏକ ରଣନୈତିକ ପଦକ୍ଷେପ ବୋଲି କୁହାଯାଉଛି।
ରାଜ୍ୟରେ ବିଜେପି ସରକାର ନେଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ବିଶେଷ କରି ସୁଭଦ୍ରା ଯୋଜନା ଓ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ଭଳି ପଦକ୍ଷେପର ସମୀକ୍ଷା ଓ ଏହାର ସଫଳତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧିତ କରିପାରନ୍ତି।
ଏହି ଗସ୍ତ କାଳରେ ଅନେକ ନୂତନ ରେଳବାଇ, ଜାତୀୟ ରାଜପଥ ଏବଂ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି।
ରାଜଧାନୀ ଭୁବନେଶ୍ୱର କିମ୍ବା ପୁରୀଠାରେ ଏକ ବିଶାଳ ଜନସମାବେଶ ଆୟୋଜନ କରିବାକୁ ରାଜ୍ୟ ବିଜେପି ପକ୍ଷରୁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଉଛି।
ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଥିବାରୁ ଏହା କେନ୍ଦ୍ରୀୟ ନେତୃତ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦ୍ୱାରା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ‘ଡବଲ୍ ଇଞ୍ଜିନ୍’ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରୟାସ କରାଯିବ।
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରାଯାଇଛି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ଏବେ ପ୍ରଗତିର ଏକ ନୂଆ ଯୁଗରେ ପ୍ରବେଶ କରିଛି।
କିନ୍ତୁ ତେଲ ସଙ୍କଟ ପାଇଁ ଯେଉଁ ସମସ୍ୟା ଉପୁଜିଛି ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏହିପରି କାର୍ଯ୍ୟକ୍ରମକୁ ଭିଡିଓ କନଫରେନସିଂ ଜରିଆରେ ଉଦବୋଧନ କରିପାରନ୍ତି।।