Latest Odisha News

BREAKING NEWS

ଭଦ୍ରକର ବିଭିନ୍ନ ପେଟ୍ରୋଲ ପମ୍ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ

ଭଦ୍ରକ: ପେଟ୍ରୋଲ ପମ୍ପ୍‌ରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଗ୍ରାହକ। ଗତ ରାତିଠାରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହ ଗାଡ଼ିରେ ତେଲ ପକାଇବା ପାଇଁ ଟାଙ୍କିକୁ ଟାଙ୍କି ଘୂରି ବୁଲିଛନ୍ତି। କେବଳ ରାଜଧାନୀ ନୁହେଁ ଭଦ୍ରକରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଭଦ୍ରକରେ ପେଟ୍ରୋଲ ପକେଇବା ପାଇଁ ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏହାକୁ ଦେଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରାଯାଇଛି।

ପେଟ୍ରୋଲ ପମ୍ପ ପକ୍ଷରୁ କରାଯାଇଥିବା କଟକଣା ନେଇ ଏହି ଚଢ଼ାଉ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷକୁ ସୂଚନା ମିଳିଛି। ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଭିଲ ସପ୍ଲାଏ ଟିମ୍, ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳଙ୍କ ମିଳିତରେ ଏହି ଚଢାଉ କରାଯାଇଛି। ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ଯେପରି କୃତିମ ଉପାୟରେ କୌଣସି ତେଲ ଅଭାବ ସୃଷ୍ଟି କରାନଯାଉ ସେ ଉପରେ ନଜର ରଖାଯାଇଛି। ଯେଉଁ ସ୍ଥାନରେ ତେଲ ଅଭାବ ରହିଛି ସେହି ସ୍ଥାନରେ କିପରି ସୁବ୍ୟବସ୍ଥିତ ହୋଇପାରିବ ସେଥିପ୍ରତି ମଧ୍ୟ ନଜର ରଖାଯାଇଛି। ସାଧାରଣ ଲୋକେ ବିଚଳିତ ନହୋଇ ଯେତିକି ପରିମାଣର ତେଲ ଆବଶ୍ୟକ ସେତେକି ନେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।

ସୂଚନା ଥାଉକି ଗତକାଲିଠାରୁ ଅନେକ ପେଟ୍ରୋଲ ପମ୍ପରେ ତେଲ ନଥିବାରୁ ବାଡ଼ ପଡ଼ିଛି କିମ୍ବା ଦଉଡ଼ି ବନ୍ଧା ହୋଇଛି। ଯେଉଁ କିଛି ଟାଙ୍କିରେ ତେଲ ମିଳୁଛି ସେଠାରେ ଗ୍ରାହକମାନଙ୍କର ଅସମ୍ଭାଳ ଭିଡ଼ ହୋଇଛି। ଧାଡ଼ିରେ ଘଣ୍ଟା ଘଣ୍ଟା ଠିଆ ହୋଇ ତେଲ ପକାଇଛନ୍ତି। ତେଲ ସରିଯିବା ଭୟ ଘାରିଥିବାରୁ ଟାଙ୍କିଗୁଡ଼ିକରେ ପ୍ରବଳ ଭିଡ଼ ଲାଗୁଛି। ଲୋକେ ଟିଣ ଡବା ଆଣି ତେଲ କିଣି ନେଇ ଯାଉଛନ୍ତି। ଆଜି ରାଜ୍ୟର କୋଣ ଅନୁକୋଣରେ ତେଲକୁ ନେଇ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ଲୋକମାନେ ଘର ପାଖରେ ତେଲ ନପାଇ ହଇରାଣ ହୋଇଛନ୍ତି। ସେହିଭଳି ବସ୍‌ ଓ ଟ୍ରକଗୁଡ଼ିକୁ ଆବଶ୍ୟକ ମାତ୍ରାରେ ତେଲ ମିଳୁ ନଥିବାରୁ ପରିବହନ ସେବା ଠପ୍‌ ହେବାର ଆଶଙ୍କା ଉପୁଜିଛି।

Leave A Reply

Your email address will not be published.