ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲକୁ ନେଇ ସମସ୍ୟା ଦେଖାଦେଇଛି। କେଉଁଠି ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍। କେଉଁଠି ଆବଶ୍ୟକ ପରିମାଣର ତେଲ ମିଳୁନଥିବା ଅଭିଯୋଗ। ଗ୍ରାମାଞ୍ଚଳର କେତେକ ଟାଙ୍କିରେ ତେଲ ଶେଷ ହୋଇଯାଇଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେନ୍ଦୁଝର, ଭଦ୍ରକ, ସୋର, ତେଲକୋଇ, ବଲାଙ୍ଗିର, ଯାଜପୁର, ଭଞ୍ଜନଗର, ରାଉରକେଲା, ନୀଳଗିରି ଓ ପାରାଦୀପ ଭଳି ଅଞ୍ଚଳରୁ ତେଲ ଅଭାବ ନେଇ ଖବର ଆସିଛି।
ତେବେ ଏହି ଆତଙ୍କ ମଧ୍ୟରେ ଆଇଓସିଏଲ ପକ୍ଷରୁ ବଡ଼ ସ୍ପଷ୍ଟୀକରଣ ଦିଆଯାଇଛି। ରାଜ୍ୟରେ ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ। ଯଥେଷ୍ଟ ପରିମାଣରେ ତେଲ ମହଜୁଦ ରହିଛି ବୋଲି ଆଇଓସିଏଲର ସିଜିଏମ୍ କମଳ ଶୀଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତାଙ୍କ କହିବା ଅନୁସାରେ, ଯୋଗାଣ ବ୍ୟବସ୍ଥାରେ କୌଣସି ଗୁରୁତର ସଙ୍କଟ ନାହିଁ। ସମସ୍ୟା ହେଉଛି ହଠାତ୍ ବଢ଼ିଥିବା ଚାହିଦା।
ଆଇଓସିଏଲ ପକ୍ଷରୁ କୁହାଯାଇଛି, ଗ୍ରାହକମାନେ ଭୟଭୀତ ହୋଇ ପେଟ୍ରୋଲ ଓ ଡିଜେଲ କିଣୁଛନ୍ତି। ଆବଶ୍ୟକତାଠାରୁ ଅଧିକ ତେଲ ଗାଡ଼ିରେ ପକାଉଛନ୍ତି। କେତେକ ସ୍ଥାନରେ ତେଲ ଗଛିତ କରିବାର ଚେଷ୍ଟା ମଧ୍ୟ ହେଉଛି। ଏହି କାରଣରୁ ପମ୍ପଗୁଡ଼ିକରେ ଲମ୍ବା ଲାଇନ୍ ଲାଗୁଛି ଏବଂ କେତେକ ପମ୍ପରେ ଦ୍ରୁତ ଭାବେ ଷ୍ଟକ୍ ଶେଷ ହୋଇଯାଉଛି। ଏହାକୁ ତେଲ ଅଭାବ ବୋଲି ବୁଝିବା ଠିକ୍ ନୁହେଁ ବୋଲି ଆଇଓସିଏଲ ସ୍ପଷ୍ଟ କରିଛି।
କମଳ ଶୀଲଙ୍କ ସୂଚନା ଅନୁସାରେ, ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ କ୍ରୟ ପ୍ରାୟ ୩୭ ପ୍ରତିଶତ ବଢ଼ିଛି। ପମ୍ପଗୁଡ଼ିକରେ ଗ୍ରାହକଙ୍କ ସଂଖ୍ୟା ୩୦ରୁ ୪୦ ପ୍ରତିଶତ ଯାଏ ବଢ଼ିଥିବାରୁ ଚାପ ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଏହି ବୃଦ୍ଧି ୫୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଥିବା କଥା ମଧ୍ୟ ସାମ୍ନାକୁ ଆସିଛି।
ଆଇଓସିଏଲ ପକ୍ଷରୁ ଲୋକଙ୍କୁ ଆବେଦନ କରାଯାଇଛି—ପ୍ୟାନିକ ହୁଅନ୍ତୁ ନାହିଁ। ପୂର୍ବରୁ ଯେପରି ଦୈନିକ ଆବଶ୍ୟକତା ଅନୁସାରେ ପେଟ୍ରୋଲ ଓ ଡିଜେଲ କିଣୁଥିଲେ, ସେହିଭଳି କିଣନ୍ତୁ। ପ୍ଲାଷ୍ଟିକ ବୋତଲ କିମ୍ବା ଘରେ ତେଲ ଗଛିତ କରନ୍ତୁ ନାହିଁ। ଏହା ବିପଜ୍ଜନକ ମଧ୍ୟ, ଆଇନଗତ ଭାବେ ଭୁଲ୍ ମଧ୍ୟ।
ଏହାସହ ଆଇଓସିଏଲ ସ୍ପଷ୍ଟ କରିଛି ଯେ, କୌଣସି ଗାଡ଼ିକୁ କେବଳ ୨୦୦ କିମ୍ବା ୫୦୦ ଟଙ୍କାର ତେଲ ଦେବାକୁ କମ୍ପାନୀ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ଗ୍ରାହକଙ୍କୁ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ତେଲ ଦିଆଯିବ। ଯଦି କୌଣସି ପମ୍ପରେ ଗ୍ରାହକ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେଠାରେ ଥିବା ଫିଲ୍ଡ ଅଫିସରଙ୍କୁ ଯୋଗାଯୋଗ କରିବାକୁ ଆଇଓସିଏଲ ପରାମର୍ଶ ଦେଇଛି। ଅଭିଯୋଗ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମ୍ପାନୀ କହିଛି।
ଏପଟେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଧ୍ୟ ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୧୩ ଦିନ ପାଇଁ ତେଲ ମହଜୁଦ ଅଛି ବୋଲି ସେ କହିଛନ୍ତି। କିନ୍ତୁ ଲୋକେ ହଠାତ୍ ଅଧିକ ତେଲ କିଣିବାରୁ ପମ୍ପଗୁଡ଼ିକରେ ଚାପ ବଢ଼ିଛି। ଏହାକୁ ଅଭାବ ବୋଲି ଧରିନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁସାରେ, ତେଲ ଗଛିତ କରିବା କିମ୍ବା ଅନାବଶ୍ୟକ ଭାବେ ଅଧିକ କିଣିବା ଭଳି କାର୍ଯ୍ୟ ଉପରେ ନଜର ରଖାଯିବ। ଯଦି କୌଣସିଠାରେ ହୋର୍ଡିଂ କିମ୍ବା କୃତ୍ରିମ ସଙ୍କଟ ସୃଷ୍ଟି କରିବାର ଚେଷ୍ଟା ହେଉଛି, ତେବେ କାର୍ଯ୍ୟାନୁଷ୍ଠାନ ହେବ। ଯୋଗାଣ ବିଭାଗ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢ଼ାଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସମଗ୍ର ଘଟଣାରେ ସ୍ପଷ୍ଟ, ରାଜ୍ୟରେ ତେଲ ଯୋଗାଣକୁ ନେଇ ପ୍ରଶାସନ ଓ ତୈଳ କମ୍ପାନୀ ପକ୍ଷରୁ ଅଭାବକୁ ଖଣ୍ଡନ କରାଯାଉଛି। କିନ୍ତୁ ଲୋକଙ୍କ ମନରେ ଏହାକୁ ନେଇ ଆଶଙ୍କା ରହିଛି।