ଭୁବନେଶ୍ବର: ତେଲ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଲାଗୁଛି । କେତେକ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ମଧ୍ୟ ସୂଚନା ମିଳିଛି । ତେବେ ରାଜ୍ୟରେ ଦେଖାଦେଉଥିବା ତୈଳ ସଙ୍କଟ ମଧ୍ୟରେ ଏକ ଆଶ୍ବସ୍ତିକର ସୂଚନା ଦେଇଛନ୍ତି ଆଇଓସିଏଲ୍ କର୍ତ୍ତୃପକ୍ଷ । ପରିବହନ ଆୟୁକ୍ତଙ୍କ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ବନ୍ଦ ହେବନି ଯାତ୍ରୀ ପରିବହନ ଏବଂ ଟ୍ରକ ଚଳାଚଳ ।
ବସ ଏବଂ ଟ୍ରକ ପାଇଁ ସ୍ୱତନ୍ତ୍ର ପମ୍ପ ରିଜର୍ଭ ରହିବ । ରାଜ୍ୟରେ ପର୍ଯ୍ୟାପ୍ତ ତୈଳ ମହଜୁଦ ଅଛି । ସବୁ ଜିଲ୍ଲାରେ ୨ଟି ପମ୍ପ ବସ୍ ପାଇଁ ରିଜର୍ଭ ରଖିବାକୁ ଦାବି କରିଛି ଘରୋଇ ବସ ମାଲିକ ସଂଘ । ସରକାର ସଂଘର ପ୍ରସ୍ତାବ ଉପରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି । ବୈଠକ ପରେ ଟ୍ରକ ମାଲିକ ମହାସଂଘର ପ୍ରତିକ୍ରିୟା ରଖି କହିଛି ପରିବହନ ଆୟୁକ୍ତ ୪୮ ଘଣ୍ଟାର ମହଲତ ମାଗିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ତେଲର କୌଣସି ଅଭାବ ନାହିଁ । ପେଟ୍ରୋଲ, ଡିଜେଲ, ସିଏନଜି ଏବଂ ଏଲପିଜିର ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଅଛି । ଗୁଜବ ଶୁଣି ପେଟ୍ରୋଲ ପମ୍ପରେ ଗ୍ରାହକ ସଂଖ୍ୟା ବଢୁଥିବାରୁ ଅତିରିକ୍ତ ଭିଡ’ ଯୋଗୁଁ ଏଭଳି ହେଉଥିବା କହିଛନ୍ତି ।
ଏହାସହ ଆଇଓସିଏଲ୍ ପକ୍ଷରୁ ରାଜ୍ୟବାସୀଙ୍କୁ ୩ଟି ବଡ଼ ଅପିଲ୍ କରାଯାଇଛି । ସେଗୁଡିକ ହେଲା, ଯେତିକି ଆବଶ୍ୟକ ବା ଗାଡି ଟାଙ୍କି ଯେତିକି ତେଲ ଧରୁଛି, ସେତିକି ଭରନ୍ତୁ । ଅଯଥା ବୋତଲ ଗୁଡିକରେ ତେଲ ଭରି ରଖନ୍ତୁନି । ୨୦୦ରୁ ୫୦୦ ଟଙ୍କାର ଲିମିଟ୍ କେବଳ ଗୁଜବ ବୋଲି ଆଇଓସିଏଲ୍ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ, ଏପରି ପରିସ୍ଥିତି କାହିଁକି ଉପୁଜିଛି, ସେନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ଡିପୋଗୁଡ଼ିକରେ ପର୍ଯ୍ୟାପ୍ତ ତେଲ ମହଜୁଦ ରହିଛି । କିନ୍ତୁ ମାର୍କେଟର ଚାହିଦା ଅନୁସାରେ ତେଲ ସମୟରେ ପହଞ୍ଚିପାରୁନଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।