Latest Odisha News

BREAKING NEWS

ବେରୋଜଗାର ଯୁବକଙ୍କୁ ‘ଅସରାପ’ ସହ ତୁଳନା କଲେ ସିଜେଆଇ ସୂର୍ଯ୍ୟକାନ୍ତ, ତେଜିଲା ବିବାଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଏପରି କିଛି କଡ଼ା ମନ୍ତବ୍ୟ ଦେଇଛନ୍ତି, ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ବେକାର ଯୁବକମାନଙ୍କୁ ସେ ‘ଅସରପା’ ଏବଂ ସମାଜର ‘ପରଜୀବୀ’ (parasites) ସହ ତୁଳନା କରିଛନ୍ତି। ଯେଉଁ ଯୁବକମାନେ କାମଧନ୍ଦା ନପାଇ ବେକାର ବୁଲୁଛନ୍ତି, ସେମାନେ ହିଁ ପରବର୍ତ୍ତୀ ସମୟରେ ସାମାଜିକ କର୍ମୀ (ଆକ୍ଟିଭିଷ୍ଟ) କିମ୍ବା ମିଡିଆ ବ୍ୟକ୍ତି ସାଜି ବ୍ୟବସ୍ଥା ଉପରେ ଆକ୍ରମଣ କରୁଛନ୍ତି ବୋଲି ସିଜେଆଇ କହିଛନ୍ତି। ଏହା ସହିତ ନକଲି ଡିଗ୍ରୀ ଧରି ବୁଲୁଥିବା ଓକିଲମାନଙ୍କ ଉପରେ ମଧ୍ୟ ପ୍ରଧାନ ବିଚାରପତି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଗତ ଶୁକ୍ରବାର (ମେ ୧୫) ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏକ ମାମଲାର ଶୁଣାଣି ଚାଲିଥିଲା। ଜଣେ ଆଇନଜୀବୀ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ‘ସିନିୟର ଆଡଭୋକେଟ୍’ (ବରିଷ୍ଠ ଆଇନଜୀବୀ) ମାନ୍ୟତା ଦିଆଯିବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଆବେଦନକାରୀଙ୍କ ଓକିଲାତି ଆଚରଣ ଏବଂ ସୋସିଆଲ ମିଡିଆ ଫେସବୁକରେ ତାଙ୍କର ପୋଷ୍ଟଗୁଡ଼ିକୁ ନେଇ କୋର୍ଟ ଖୁବ୍ କ୍ଷୁବ୍ଧ ହୋଇଥିଲେ।

ଏହି ସମୟରେ ସିଜେଆଇ କହିଥିଲେ, “ସମାଜରେ ପୂର୍ବରୁ ଅନେକ ପରଜୀବୀ ଅଛନ୍ତି ଯେଉଁମାନେ ବ୍ୟବସ୍ଥାକୁ ଲଗାତାର ସମାଲୋଚନା କରି ଆକ୍ରମଣ କରୁଛନ୍ତି। ଆପଣ କଣ ସେମାନଙ୍କ ସହ ହାତ ମିଳାଇବାକୁ ଚାହୁଁଛନ୍ତି?”

ଏହାପରେ ସେ ଏକ ସାଂଘାତିକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, “କିଛି ଯୁବକ ଅସରପା ଭଳି ଅଛନ୍ତି, ଯେଉଁମାନଙ୍କର କୌଣସି ରୋଜଗାର ନାହିଁ କିମ୍ବା ନିଜ ପେଶାରେ ସେମାନଙ୍କର କୌଣସି ସ୍ଥାନ ନାହିଁ। ସେମାନଙ୍କ ମଧ୍ୟରୁ କିଛି ଲୋକ ମିଡିଆ, ଆଉ କିଛି ସୋସିଆଲ ମିଡିଆ, ଆରଟିଆଇ ଆକ୍ଟିଭିଷ୍ଟ କିମ୍ବା ଅନ୍ୟାନ୍ୟ କର୍ମୀ ସାଜି ସମସ୍ତଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରନ୍ତି।”

ଆବେଦନକାରୀ ଓକିଲଙ୍କୁ କଡ଼ା ଭାଷାରେ ତାଗିଦ୍ କରି ଖଣ୍ଡପୀଠ କହିଥିଲେ ଯେ ସିନିୟର ଆଡଭୋକେଟ୍ ମାନ୍ୟତା ଏକ ସମ୍ମାନ, ଏହା କୌଣସି ଷ୍ଟାଟସ୍ ସିମ୍ବଲ ବା ଅଳଙ୍କାର ନୁହେଁ ଯେ ଏହା ପଛରେ ଏମିତି ପାଗଳଙ୍କ ଭଳି ଗୋଡ଼ାଇବେ।

ବିଚାରପତିମାନେ ଆହୁରି ସ୍ପଷ୍ଟ କରିଥିଲେ ଯେ, “ସାରା ବିଶ୍ୱ ସିନିୟର ହେବାକୁ ଯୋଗ୍ୟ ହୋଇପାରେ, କିନ୍ତୁ ଅତିକମରେ ଆପଣ ଏଥିପାଇଁ ଯୋଗ୍ୟ ନୁହଁନ୍ତି। ଯଦି ଦିଲ୍ଲୀ ହାଇକୋର୍ଟ ଆପଣଙ୍କୁ ଏହି ମାନ୍ୟତା ଦେଇଦିଅନ୍ତି, ତେବେ ମଧ୍ୟ ଆପଣଙ୍କ ବୃତ୍ତିଗତ ଆଚରଣକୁ ଦେଖି ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଦେବେ।” ଆବେଦନକାରୀଙ୍କର ଓକିଲାତି ଛଡ଼ା ଆଉ କୌଣସି କାମ ନାହିଁ କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

ଏହି ଶୁଣାଣି ବେଳେ ଅନ୍ୟ ଏକ ବଡ଼ ପ୍ରସଙ୍ଗ ମଧ୍ୟ ଉଠିଥିଲା। ଦିଲ୍ଲୀର ଅନେକ ଆଇନଜୀବୀଙ୍କ ଡିଗ୍ରୀ ନକଲି ଥାଇପାରେ ବୋଲି ପ୍ରଧାନ ବିଚାରପତି ସନ୍ଦେହ ପ୍ରକାଶ କରିଥିଲେ। ସେ ସିଧାସଳଖ କହିଥିଲେ, “କଳା କୋର୍ଟ ପିନ୍ଧିଥିବା ହଜାର ହଜାର ଲୋକ ଠକ ବୋଲି ମୋର ସନ୍ଦେହ ରହିଛି। ସେମାନଙ୍କ ଡିଗ୍ରୀର ସତ୍ୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ଅଛି। ମୁଁ ଏମିତି ଏକ ମାମଲାକୁ ଅପେକ୍ଷା କରିଛି, ଯେଉଁଥିରେ ସିବିଆଇ (CBI) କୁ ଏହି ନକଲି ଡିଗ୍ରୀଗୁଡ଼ିକର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବି।”

ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (BCI) ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ନେବ ନାହିଁ ବୋଲି ମଧ୍ୟ ସେ କ୍ଷୋଭ ପ୍ରକାଶ କରିଥିଲେ। କାରଣ ଭୋଟ୍ ରାଜନୀତି ପାଇଁ ସେମାନଙ୍କୁ ଏହି ଓକିଲମାନଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ରୋକ୍‌ଠୋକ୍ ଶୁଣାଇଥିଲେ।

ଶେଷରେ ସୁପ୍ରିମକୋର୍ଟଙ୍କ ଏଭଳି ରୂପ ଦେଖି ଆବେଦନକାରୀ ଓକିଲ ଜଣକ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ନିଜର ପିଟିସନକୁ ପ୍ରତ୍ୟାହାର କରିନେଇଥିଲେ। ତେବେ ବେକାର ଯୁବକ ଏବଂ ଆକ୍ଟିଭିଷ୍ଟମାନଙ୍କୁ ନେଇ ସିଜେଆଇଙ୍କ ଏହି ମନ୍ତବ୍ୟ ଏବେ ବିଭିନ୍ନ ମହଲରେ ମିଶ୍ରିତ ପ୍ରତିକ୍ରିୟା ଏବଂ ତୀବ୍ର ବିତର୍କ ସୃଷ୍ଟି କରିଛି।

Leave A Reply

Your email address will not be published.