ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଏକ ବଡ଼ ଖବର। ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ୨୦ ତାରିଖ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ରୁ ୧ଟା ମଧ୍ୟରେ ସିଏଚ୍ଏସ୍ଇ ପରିସରରେ ଔପଚାରିକ ଭାବେ ଏହି ଫଳାଫଳ ଘୋଷଣା କରାଯିବ। ଏହାପରେ ପରୀକ୍ଷାର୍ଥୀମାନେ ପରିଷଦର ସରକାରୀ ୱେବସାଇଟ୍କୁ ଯାଇ ନିଜର ରେଜଲ୍ଟ ଦେଖିପାରିବେ।
ଚଳିତ ବର୍ଷ ବୋର୍ଡ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥର ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ଏହି ୪ଟି ଯାକ ବିଭାଗର ପରୀକ୍ଷା ଫଳ ଏକାସାଙ୍ଗରେ ପ୍ରକାଶ ପାଇବ। ଏହି ନିଷ୍ପତ୍ତି ଫଳରେ ସମସ୍ତ ବିଭାଗର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉତ୍କଣ୍ଠାର ସମାଧାନ ଏକା ସହ ହୋଇପାରିବ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜ୍ୟର ମୋଟ ୪ ଲକ୍ଷ ୧୬ ହଜାର ୨୩ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଶେଷ ହେବା ପରେ ଖାତା ଦେଖା ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯାଇଥିଲା। ଏବେ ରେଜଲ୍ଟ ପ୍ରକାଶ ପାଇଁ ସମସ୍ତ ବୈଷୟିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରୀକ୍ଷା ଫଳ ବାହାରିବା ପରେ ପିଲାମାନେ www.orissaresults.nic.in ଏବଂ chseodisha.nic.in ୱେବସାଇଟ୍ ମାଧ୍ୟମରେ ନିଜର ରୋଲ୍ ନମ୍ବର ଏବଂ ସିରିଏଲ୍ କୋଡ୍ ଦେଇ ମାର୍କସିଟ୍ ଡାଉନଲୋଡ୍ କରିପାରିବେ। ୪ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବାରୁ ଏବେ ସାରା ରାଜ୍ୟରେ ପରୀକ୍ଷା ଫଳକୁ ନେଇ ମାହୋଲ ଉଷ୍ମ ରହିଛି।