Latest Odisha News

BREAKING NEWS

ଚୀନ୍‌ରେ ଭୂକମ୍ପର ତାଣ୍ଡବ: ଅଧରାତିରେ ଭୁଶୁଡିଲା କୋଠା

ବେଜିଂ: ଅଧାରାତିର ନିରବତା ଭିତରେ ହଠାତ୍ ଆସିଲା ମୃତ୍ୟୁର ଛାଇ। ଲୋକେ ଗଭୀର ନିଦରେ ଶୋଇଥିବା ବେଳେ ଏକ ଶକ୍ତିଶାଳୀ ଭୂକମ୍ପର ଝଟକାରେ ଥରି ଉଠିଥିଲା ସମଗ୍ର ସହର। ମାତ୍ର କିଛି ସେକେଣ୍ଡର ତାଣ୍ଡବ ଭିତରେ ତାସ୍ ଘର ଭଳି ଭୁଶୁଡ଼ି ପଡିଲା ଏକାଧିକ ବିରାଟ ଅଟ୍ଟାଳିକା। ଦକ୍ଷିଣ-ପଶ୍ଚିମ ଚୀନ୍‌ର ଗୁଆଙ୍ଗସି ଅଞ୍ଚଳ (Guangxi region) ଅନ୍ତର୍ଗତ ଲିଉଝୋଉ (Liuzhou) ସହରରେ ସୋମବାର ଘଟିଥିବା ୫.୨ ତୀବ୍ରତାର ଭୂକମ୍ପ ଏବେ ବ୍ୟାପକ ବିନାଶଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିଜ ଭିଟାମାଟି ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିଛି।

ଚୀନ୍ ଗଣମାଧ୍ୟମ ଏବଂ ସରକାରୀ ରିପୋର୍ଟ ଅନୁଯାୟୀ, ରବିବାର ରାତି ତଥା ସୋମବାର ଭୋର୍ ପ୍ରାୟ ୧୨ଟା ୨୧ ମିନିଟ୍ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଚାଇନା ଆର୍ଥକ୍ୱେକ୍ ନେଟୱାର୍କ ସେଣ୍ଟରର ତଥ୍ୟ ମୁତାବକ, ଏହାର କେନ୍ଦ୍ରସ୍ଥଳ ଲିଉନାନ୍ (Liunan) ଜିଲ୍ଲାରେ ଭୂପୃଷ୍ଠରୁ ମାତ୍ର ୮ କିଲୋମିଟର ଗଭୀରତାରେ ଥିଲା। ଭୂକମ୍ପର ଗଭୀରତା କମ୍ ଥିବାରୁ ଏହାର ପ୍ରଭାବ ବେଶ୍ ମାରାତ୍ମକ ଥିଲା। ଦେଖୁ ଦେଖୁ ୧୩ଟି ବଡ଼ କୋଠା ଏବଂ ଆବାସିକ ବିଲ୍ଡିଂ ମାଟିରେ ମିଶିଯାଇଥିଲା। ଭୟଭୀତ ହୋଇ ହଜାର ହଜାର ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ରାସ୍ତା ଉପରକୁ ଦୌଡି ଆସିଥିଲେ।

ଏହି ବିପର୍ଯ୍ୟୟର ସବୁଠାରୁ କରୁଣ ଚିତ୍ର ହେଉଛି ଏକ ବୟସ୍କ ଦମ୍ପତିଙ୍କର ମୃତ୍ୟୁ। ୬୩ ବର୍ଷୀୟ ସ୍ୱାମୀ ଏବଂ ୫୩ ବର୍ଷୀୟା ସ୍ତ୍ରୀ ନିଜ ଘରର ଭଗ୍ନାବଶେଷ ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମାଟି ତଳୁ ଆଉ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯଦିଓ ସେମାନଙ୍କ ଅବସ୍ଥା ବିପଦମୁକ୍ତ ରହିଛି।

ତେବେ ଉଦ୍ଧାରକାରୀ ଦଳ ପାଇଁ ସବୁଠାରୁ ବଡ଼ ସଫଳତା ଥିଲା ଜଣେ ୯୧ ବର୍ଷୀୟ ବୃଦ୍ଧଙ୍କୁ ଦୀର୍ଘ ଘଣ୍ଟା ପରେ ଜୀବିତ ଅବସ୍ଥାରେ ଉଦ୍ଧାର କରିବା। ସେ ଏବେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଏବେ ବି ଆଉ ଜଣେ ନିଖୋଜ ଥିବା ସୂଚନା ରହିଛି। ମାଟି ଆଉ ପଥର ସ୍ତୂପ ତଳେ ଆଉ କେହି ଜୀବିତ ଅଛନ୍ତି କି ନାହିଁ, ତାହା ଖୋଜିବା ପାଇଁ ପ୍ରଶାସନ ଏବେ ତାଲିମପ୍ରାପ୍ତ ସ୍ନିଫର୍ ଡଗ୍ (Sniffer Dogs) ଏବଂ ଡ୍ରୋନ୍‌ର ବ୍ୟବହାର କରୁଛି।

ଚୀନ୍ ସରକାର ଏହି ବିପର୍ଯ୍ୟୟକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ରାଜ୍ୟ ଏବଂ କେନ୍ଦ୍ରୀୟ ସ୍ତରରେ ଲେଭେଲ-୩ ଓ ଲେଭେଲ-୪ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଆକସ୍ମିକ ସ୍ଥିତିର ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତୁରନ୍ତ ଆକ୍ସନ ନିଆଯାଇ ଘଟଣାସ୍ଥଳକୁ ୫୧ଟି ଅଗ୍ନିଶମ ଗାଡ଼ି ଏବଂ ୩୧୫ ଜଣ ଉଦ୍ଧାରକାରୀଙ୍କୁ ପଠାଯାଇଛି। ଜେସିବି ଏବଂ ଅନ୍ୟାନ୍ୟ ଭାରୀ ଆର୍ଥମୁଭର୍ ସାହାଯ୍ୟରେ ରାସ୍ତା ଉପରୁ ଭଗ୍ନାବଶେଷ ହଟାଇବା କାମ ଏବେ ଜୋରସୋରରେ ଚାଲିଛି।

Leave A Reply

Your email address will not be published.