Latest Odisha News

BREAKING NEWS

ବେଙ୍ଗଲରେ ‘ବୁଲଡୋଜର ଆକ୍ସନ୍’: ହଟିଲେ ଉଠାଦୋକାନୀ, ମାଟିରେ ମିଶିଲା ବେଆଇନ ନିର୍ମାଣ

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଏବେ ପ୍ରଶାସନର କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି। ରାସ୍ତାଘାଟ ଏବଂ ଫୁଟପାଥ୍‌କୁ ଜବରଦଖଲ ମୁକ୍ତ କରିବା ପାଇଁ ରାଜ୍ୟରେ ଏବେ ଜୋରଦାର ‘ବୁଲଡୋଜର ଆକ୍ସନ୍’ ଆରମ୍ଭ ହୋଇଛି। କୋଲକାତାର ଟପସିଆ (Topsia), ସିଆଲଦା ଏବଂ ପଡ଼ୋଶୀ ହାଓଡ଼ା ସହରରେ ବେଆଇନ ନିର୍ମାଣ ବିରୋଧରେ ପ୍ରଶାସନ ପକ୍ଷରୁ ବ୍ୟାପକ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଦୀର୍ଘ ଦିନ ଧରି ଫୁଟପାଥ୍ ମାଡ଼ି ବସିଥିବା ଶହ ଶହ ଉଠାଦୋକାନୀଙ୍କୁ ରାସ୍ତା ଉପରୁ ହଟାଇ ଦିଆଯାଇଛି।

ସୂଚନା ଅନୁଯାୟୀ, କୋଲକାତା ମହାନଗର ନିଗମ ଏବଂ ପୋଲିସର ମିଳିତ ଟିମ୍ ଟପସିଆ ଅଞ୍ଚଳରେ ଅଚାନକ ଚଢ଼ାଉ କରିଥିଲେ। କେହି କିଛି ବୁଝିବା କିମ୍ବା ନିଜ ସାମଗ୍ରୀ ଗୋଟାଇବା ପୂର୍ବରୁ, ବୁଲଡୋଜର ଲଗାଇ ବେଆଇନ ଭାବେ ଗଢ଼ି ଉଠିଥିବା ଅସ୍ଥାୟୀ ଦୋକାନ, ଛୋଟମୋଟ କୋଠା ଏବଂ ଟିଣ ଛପରଗୁଡ଼ିକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା। ସେହିପରି ସିଆଲଦା ଷ୍ଟେସନ ବାହାରେ ଥିବା ଗହଳିପୂର୍ଣ୍ଣ ମାର୍କେଟ୍ ଏବଂ ହାଓଡ଼ାର ବିଭିନ୍ନ ଛକରେ ମଧ୍ୟ ସମାନ ଢଙ୍ଗରେ ଉଚ୍ଛେଦ ଅଭିଯାନ ଦେଖିବାକୁ ମିଳିଥିଲା। ସହରର ଟ୍ରାଫିକ୍ ସମସ୍ୟାକୁ ବଢ଼ାଉଥିବା ଏବଂ ସାଧାରଣ ଲୋକଙ୍କ ଚଲାବୁଲାରେ ବାଧା ସୃଷ୍ଟି କରୁଥିବା ଏହି ଜବରଦଖଲକାରୀଙ୍କ ଉପରେ ପ୍ରଶାସନର ଏହି ଆକ୍ସନ ଥିଲା ଅତି ସିଧାସଳଖ ଓ କଠୋର।

ଉଚ୍ଛେଦ ସମୟରେ ଅନେକ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଖି ସାମ୍ନାରେ ବର୍ଷ ବର୍ଷର ରୋଜଗାର ଉଜୁଡ଼ି ଯାଉଥିବା ଦେଖି କିଛି ଉଠାଦୋକାନୀ ଏବଂ ସ୍ଥାନୀୟ ଲୋକ ପୋଲିସକୁ ବିରୋଧ କରିବା ସହ ଧସ୍ତାଧସ୍ତି କରିଥିଲେ। କିନ୍ତୁ ବିପୁଳ ସଂଖ୍ୟାରେ ମୁତୟନ ହୋଇଥିବା ସଶସ୍ତ୍ର ପୋଲିସ ଫୋର୍ସ ଏବଂ ରାପିଡ୍ ଆକ୍ସନ ଫୋର୍ସ ଆଗରେ ସେମାନଙ୍କର କୌଣସି ପ୍ରତିବାଦ ତିଷ୍ଠି ପାରିନଥିଲା। ବହୁ ଦୋକାନୀ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ କୌଣସି ଆଗୁଆ ନୋଟିସ୍ ନଦେଇ ଏଭଳି ଅମାନୁଷିକ ଭାବେ ଉଚ୍ଛେଦ କରାଯାଇଛି, ଯାହା ଫଳରେ ସେମାନେ ନିଜର ଜୀବିକା ହରାଇ ଏବେ ରାସ୍ତାକୁ ଆସିଯାଇଛନ୍ତି।

ବର୍ଷ ବର୍ଷ ଧରି ରାଜନୈତିକ ଛତ୍ରଛାୟା ଏବଂ ସ୍ଥାନୀୟ ଗୁଣ୍ଡାଙ୍କ ପ୍ରୋତ୍ସାହନରେ ରାସ୍ତାଘାଟକୁ ଅକ୍ତିଆର କରି ବସିଥିବା ଏହି ବେଆଇନ ଦଖଲକାରୀଙ୍କ ବିରୋଧରେ ପ୍ରଶାସନର ଏହି ‘ବୁଲଡୋଜର ନୀତି’ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.