ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ତାତି। ସାଧାରଣ ଜୀବନ ଅସ୍ତବ୍ୟସ୍ତ। ଚଳିତ ସପ୍ତାହରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଫେରିବାର ସମ୍ଭାବନା ନେଇ ଆକଳନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)। ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା । ଆଜିଠୁ ଆହୁରି ବଢ଼ିବ ତାତି। ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ପୂରା ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି। ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ବାକି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼ ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ସବୁ ଜିଲ୍ଲା ପାଇଁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି। ସବୁଠି ଅସହ୍ୟ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି। ଆଗାମୀ ୫ ଦିନ ମଧ୍ୟରେ ଦିନର ତାପମାତ୍ରା ୨-୩°C ବୃଦ୍ଧି ପାଇବାର ସମ୍ଭାବନା ଅଛି। ବିଶେଷ କରି ଆଜି ଝାରସୁଗୁଡା, ବୌଦ୍ଧ ଏବଂ ମୟୂରଭଞ୍ଜ ଏବଂ ମେ ୨୧ରେ ଝାରସୁଗୁଡା, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ବାଲେଶ୍ୱର ଏବଂ ଭଦ୍ରକରେ ପ୍ରବଳ ଗରମ ଅନୁଭୂତ ହେବ।
ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ। ଝାଞ୍ଜି ପବନ ସାଙ୍ଗକୁ ପ୍ରବଳ ଗରମରେ ଜନଜୀବନ ଆଉଟୁପାଉଟୁ । ସକାଳ ୯ଟାରୁ ବଢିବାରେ ଲାଗିଛି ଖରାର ପ୍ରକୋପ । ତାତି ବଢିବା ସହ ରାସ୍ତାଘାଟ ଶୂନଶାନ ହୋଇପଡୁଥିବା ଦେଖାଯାଇଛି। ପାଞ୍ଚଦିନ ଯାଏ ତାତିରୁ ମିଳିବନି ନିସ୍ତାର । ଗତକାଲି ୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ୪୦ ଡିଗ୍ରୀ ଉପରେ ରହିଥିଲା ୧୮ ସହରର ତାପମାତ୍ରା । ରାଜଧାନୀରେ ବି ପ୍ରବଳ ଗରମ । ଭୁବନେଶ୍ବରର ଗତକାଲି ତାପମାତ୍ରା ୪୦.୧ ଡିଗ୍ରୀ ସେଲସିୟମ ରେକର୍ଡ ହୋଇଛି । ଗ୍ରୀଷ୍ମ ଲହରୀ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।