Indian Diplomat Found Dead: ବାଂଲାଦେଶରେ ଭାରତୀୟ ଅଧିକାରୀଙ୍କ ମୃତ୍ୟୁ; ସନ୍ଦେହଜନକ ପରିସ୍ଥିତିରେ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ:ବାଂଲାଦେଶରେ ଥିବା ଭାରତୀୟ ହାଇକମିଶନରେ ନିୟୋଜିତ ଜଣେ ପ୍ରୋଟୋକଲ ଅଧିକାରୀଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଚିଟାଗଙ୍ଗରେ ଥିବା ଭାରତୀୟ ହାଇକମିଶନ ପରିସରରୁ ଉଦ୍ଧାର କରାଯାଇଛି। ମୃତକ ଚିଟାଗଙ୍ଗରେ ଥିବା ଭାରତୀୟ ମିଶନରେ ସୁରକ୍ଷା ପ୍ରୋଟୋକଲ ଅଧିକାରୀ ଭାବରେ ନିୟୋଜିତ ଥିଲେ।
ମୃତକ ଅଧିକାରୀ ଜଣକ ହେଲେ ୩୫ବର୍ଷୀୟ ନରେନ୍ଦ୍ର । ତାଙ୍କ ପିତାଙ୍କ ନାମ ରାମ ନିବାସ, ଯିଏ ହରିୟାଣାର ବାସିନ୍ଦା ବୋଲି ଜଣାପଡ଼ିଛି। ସ୍ଥାନୀୟ ପୋଲିସ ମୃତଦେହକୁ ନିଜ ହେପାଜତକୁ ନେଇଛି।
ସ୍ଥାନୀୟ ପୋଲିସର ତଦନ୍ତରୁ ଜଣାପଡିଛି ଯେ ମଙ୍ଗଳବାର ସକାଳେ ଯେତେବେଳେ ନରେନ୍ଦ୍ର ବହୁତ ସମୟ ଧରି ତାଙ୍କ କୋଠରୀର ଦ୍ୱାର ଖୋଲି ନଥିଲେ, ସେଠାରେ ଥିବା ଅନ୍ୟ ଅଧିକାରୀମାନେ ସନ୍ଦେହ କରିଥିଲେ। ବାରମ୍ବାର ଫୋନ କରିବା ସତ୍ତ୍ୱେ କୌଣସି ଉତ୍ତର ମିଳି ନଥିଲା। ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା। ଚିଟାଗଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସକାଳ ପ୍ରାୟ ୯:୩୦ ସମୟରେ ନରେନ୍ଦ୍ରଙ୍କ ମୃତଦେହ କୋଠରୀରୁ ଉଦ୍ଧାର କରାଯାଇଥିଲା।
ପୋଲିସ ଅଧିକାରୀଙ୍କ ଉଦ୍ଧୃତି ଦେଇ, ଏକ ବାଂଲାଦେଶ ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ କରିଛି ଯେ ପୁରୁଣା ଭିସା କେନ୍ଦ୍ର କୋଠାର ଦ୍ୱିତୀୟ ମହଲାରେ ଥିବା ଏକ ଡାଟା ଏଣ୍ଟ୍ରି ରୁମର ବାଥରୁମ୍ ଦ୍ୱାର ସାମ୍ନାରେ ମୃତଦେହ ମିଳିଥିଲା।
ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଚିଟାଗଙ୍ଗ ମେଡିକାଲ କଲେଜ (CMC) ହସ୍ପିଟାଲକୁ ପଠାଯାଇଥିଲା।
ସୂଚନାଥାଉକି, ଏହା ଏକ ପ୍ରାକୃତିକ ମୃତ୍ୟୁ, ଦୁର୍ଘଟଣା, ନା ଏକ ଗଭୀର ଷଡ଼ଯନ୍ତ୍ରର ଫଳାଫଳ ତାହା ସ୍ପଷ୍ଟ ହୋଇ ନୁହେଁ। ପୋଲିସ ଏହି ମାମଲାର ସକ୍ରିୟ ତଦନ୍ତ କରୁଛି ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି। ପୋଲିସ କହିଛି ଯେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣା ପଡିବ । ପିଏମ୍ ରିପୋର୍ଟ ଆଧାରରେ ଅଧିକ ତଦନ୍ତ କରାଯିବ।
ଏହି ଘଟଣା ସମ୍ପର୍କରେ ଭାରତୀୟ ଦୂତାବାସର ଅଧିକାରୀମାନେ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ମୃତକଙ୍କ ପରିବାରକୁ ଘଟଣା ବିଷୟରେ ଅବଗତ କରାଯାଇଛି।
ଚିଟାଗଙ୍ଗ ପୋଲିସ କମିଶନର ହସନ ମହମ୍ମଦ ଶୌକତ ଅଲିଙ୍କ ଅନୁଯାୟୀ, ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରାଯାଉଛି। ପୋଲିସ ସମସ୍ତ ଦୃଷ୍ଟିକୋଣରୁ ଘଟଣାର ତଦନ୍ତ କରୁଛି। ପୋଷ୍ଟମର୍ଟମ ସମାପ୍ତ ହେବା ପରେ ଅଧିକାରୀଙ୍କ ମୃତଦେହକୁ ଭାରତୀୟ ହାଇ କମିଶନକୁ ହସ୍ତାନ୍ତର କରାଯିବ।