କଟକ: ଟାଙ୍ଗୀ -ଚୌଦ୍ୱାର ବ୍ଲକରେ ବିଜେପି ନେତା ତଥା ଅଭିନେତା ଅରିନ୍ଦମ ରାୟଙ୍କ ସୋସିଆଲ ମିଡିଆ ମନ୍ତବ୍ୟକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କିଛି ସାମ୍ବାଦିକ ଅରିନ୍ଦମଙ୍କ ଆପତ୍ତିଜନକ ସୋସିଆଲ ମିଡିଆ ମନ୍ତବ୍ୟ ବିରୋଧରେ ଟାଙ୍ଗୀ-ଚୌଦ୍ୱାର ଥାନାରେ ଏକ ଅଭିଯୋଗ ଏଫ୍ଆଇଆର୍ ଦାଖଲ କରିଛନ୍ତି।
ସୂଚନା ଅନୁଯାୟୀ, ଅରିନ୍ଦମ ରୟ ଏବଂ ଅନ୍ୟ ବିଜେପି କର୍ମୀମାନେ ଟାଙ୍ଗୀ ବ୍ଲକ ଅଫିସରେ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଘେରାଉ କରିଥିଲେ। ପଞ୍ଚାୟତ ସମିତି ବୈଠକ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମକୁ ବିଜେପି ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଉ ନଥିବା ଅଭିଯୋଗ କରି ସେମାନେ ଏହି ବିକ୍ଷୋଭ କରିଥିଲେ।
ତେବେ ଏହି ଘଟଣା ପରେ ଅରିନ୍ଦମ ସୋସିଆଲ ମିଡିଆରେ ସାମ୍ବାଦିକମାନଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।
ସାମ୍ବାଦିକ ସଂଘର ସଦସ୍ୟମାନଙ୍କ ଅଭିଯୋଗ ଅନୁସାରେ, ଅରିନ୍ଦମଙ୍କ ଏହି ମନ୍ତବ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମାନ ଓ ବିଶ୍ୱସନୀୟତାକୁ କ୍ଷୁଣ୍ଣ କରିଛି। ସୋସିଆଲ ମିଡିଆ ପୋଷ୍ଟରେ ସେ କଥିତ ଭାବେ ଲେଖିଥିଲେ ଯେ, ଟାଙ୍ଗୀ ବ୍ଲକ ଘଟଣାର ପ୍ରସାରଣ ପାଇଁ କିଛି ଗଣମାଧ୍ୟମ ସଂସ୍ଥା ପ୍ରତି ଭ୍ୟୁ ପିଛା ଅଳ୍ପ କିଛି ଟଙ୍କା ପାଇଥାଇ ପାରନ୍ତି ଏବଂ ସେହି ଟଙ୍କାରେ ସେମାନେ ଦୁଇ ଓଳି ଗଣ୍ଡେ ଚାଉଳ କିଣିଥାଇ ପାରନ୍ତି। ଅରିନ୍ଦମଙ୍କ ଏହି କଟାକ୍ଷକୁ ନେଇ ସ୍ଥାନୀୟ ସାମ୍ବାଦିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏହାର ପ୍ରତିବାଦ ସ୍ୱରୂପ, ସାମ୍ବାଦିକମାନେ ପ୍ରତୀକାତ୍ମକ ଭାବେ ଚାଉଳ, ଆଳୁ ଏବଂ ବାଇଗଣ ଧରି ଥାନାକୁ ଆସିଥିଲେ, ଯାହାକୁ ସେମାନେ ବିଜେପି ନେତାଙ୍କୁ ହସ୍ତାନ୍ତର କରିବାକୁ ଚାହୁଁଥିଲେ
ଅନ୍ୟପଟେ, ବ୍ଲକ ଉନ୍ନୟନ ଅଧିକାରୀ (BDO)ଙ୍କ ଡାକରା କ୍ରମେ ଆଜି ବିଜେପି ନେତା ଅରିନ୍ଦମ ରାୟ ଏବଂ ଅଭୟ ବାରିକ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ସେମାନେ ସେଠାରେ ବିଭିନ୍ନ ଜନସାଧାରଣଙ୍କ ସମସ୍ୟା ଓ ସ୍ଥାନୀୟ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଦାବିପତ୍ର ପ୍ରଦାନ କରିଥିଲେ।
ବିଡିଓ ଏହି ଅଭିଯୋଗ ପତ୍ର ଗ୍ରହଣ କରିବା ସହ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଗତ ଚାରି ଦିନ ଧରି ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା କଲମଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି।
ଏହି ସମଗ୍ର ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି, ଯଦିଓ ଏହି ମାମଲାରେ ଅରିନ୍ଦମ କିମ୍ବା ସାମ୍ବାଦିକମାନଙ୍କ ପକ୍ଷରୁ କୌଣସି ଅଧିକାରୀକ ପ୍ରତିକ୍ରିୟା ମିଳିପାରି ନାହିଁ।