ନୂଆଦିଲ୍ଲୀ: ଦେଶର ଦୁଇଟି ବୃହତ୍ତମ ବିମାନ କେନ୍ଦ୍ର ଦିଲ୍ଲୀ ଏବଂ ମୁମ୍ବାଇରେ ବିମାନ ଟର୍ବାଇନ୍ ଇନ୍ଧନ (ATF) ଉପରେ ଟିକସ ହ୍ରାସ କରାଯାଇଛି।
ଦିଲ୍ଲୀ ସରକାର ଛଅ ମାସ ପାଇଁ ATF ଉପରେ VAT ୨୫ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରିଛନ୍ତି। ଯେତେବେଳେ କି ମହାରାଷ୍ଟ୍ର ସରକାର ମୁମ୍ବାଇରେ ଘରୋଇ ବିମାନ ପାଇଁ ATF ଉପରେ VAT ୧୮ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରିଛନ୍ତି।ମୁମ୍ବାଇରେ କେବଳ ଘରୋଇ ଉଡ଼ାଣ ପାଇଁ ଟିକସ କମ୍ କରିଛନ୍ତି ସରକାର।
ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ଇରାନ ଯୁଦ୍ଧ, ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି, ଟଙ୍କା ଦୁର୍ବଳ ଏବଂ ପରିଚାଳନା ଖର୍ଚ୍ଚ ବୃଦ୍ଧି ଯୋଗୁଁ ବିମାନ କମ୍ପାନୀଗୁଡ଼ିକ ଚାପର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ବିମାନ କମ୍ପାନୀଗୁଡ଼ିକ ଦୀର୍ଘ ସମୟ ଧରି ସରକାରଙ୍କୁ ଇନ୍ଧନ ଟିକସ ହ୍ରାସ କରିବାକୁ ଦାବି କରିଆସୁଛନ୍ତି। FIA ବିମାନ ଟର୍ବାଇନ୍ ଇନ୍ଧନ ଦାମ୍ ବୃଦ୍ଧି ନେଇ ପୂର୍ବରୁ ଚିନ୍ତା ପ୍ରକଟ କରିଥିଲା
ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏୟାରଲାଇନ୍ସ (FIA), ଯେଉଁଥିରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ସ୍ପାଇସଜେଟ୍ ଅନ୍ତର୍ଭୁକ୍ତ। ଏପ୍ରିଲ ୨୬ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏକ ଚିଠିରେ ଲେଖିଥିଲା ଯେ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ସେମାନଙ୍କର ପରିଚାଳନା ଖର୍ଚ୍ଚର ଅଂଶ ୫୫ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ସଙ୍କଟ ପୂର୍ବରୁ ୩୦ରୁ ୪୦ ପ୍ରତିଶତ ମଧ୍ୟରେ ଥିଲା।
ତେବେ ଟିକସ କାଟ ପରେ ଯାତ୍ରୀମାନଙ୍କୁ ତୁରନ୍ତ ଶସ୍ତା ଟିକେଟ୍ ମିଳିବାର ସମ୍ଭାବନା କମ୍ ରହିଛି। କାରଣ ଏଭିଏସନ୍ ସେକ୍ଟରରେ ଭଡ଼ା କେବଳ ଖର୍ଚ୍ଚ ଦ୍ୱାରା ସ୍ଥିର ହୁଏ ନାହିଁ ବରଂ ଚାହିଦା ଏବଂ ଯୋଗାଣ ମଧ୍ୟ ଏଥିରେ ବଡ଼ ଭୂମିକା ଗ୍ରହଣ କରେ। ଫଳରେ ଏୟାର ଲାଇନ୍ସ ଗୁଡ଼ିକ ନିଜ ଆର୍ଥିକ ଖର୍ଚ୍ଚ ଚାପକୁ କମାଇବାକୁ ଚେଷ୍ଟା କରିବେ।