ଭୁବନେଶ୍ୱର:
ଆଗକୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼, ମହାପ୍ରଭୁଙ୍କ ନୀତିକାନ୍ତି ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି ଘନଘନ ସମୀକ୍ଷା। ରଥଯାତ୍ରା କିଭଳି ଭାବେ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ଗୁଣ୍ଡିଚା ମନ୍ଦିରରେ ରଥ ଲାଗିବା ପରେ ନୀତିକାନ୍ତି କିଭଳି ସୁଚାରୁ ଭାବେ ହେବ ଏବଂ ଭକ୍ତମାନେ କେମିତି ସହଜରେ ଦର୍ଶନ କରିପାରିବେ, ସେନେଇ ଆଜି ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ରଥଯାତ୍ରା ପ୍ରସ୍ତୁତି ବୈଠକରେ ଦର୍ଶନ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ପ୍ରବେଶ ଓ ପ୍ରସ୍ଥାନ ପଥ, ପହଡ଼ ସମୟ ଏବଂ ନୀତିକାନ୍ତିର ସମୟ ସାରଣୀ ନେଇ ବିସ୍ତୃତ ଆଲୋଚନା ହୋଇଛି। ବିଶେଷ କରି ରଥ ଗୁଣ୍ଡିଚାରେ ପହଞ୍ଚିବା ପରେ ଭକ୍ତମାନେ କେଉଁ ପଟେ ପ୍ରବେଶ କରିବେ, କେଉଁ ପଟେ ବାହାରିବେ ଏବଂ କେତେ ସମୟ ପର୍ଯ୍ୟନ୍ତ ଦର୍ଶନ ଚାଲିବ, ତାହାକୁ ନେଇ ବୈଠକରେ ମନ୍ଥନ ହୋଇଛି।
ବୈଠକରେ ଦଇତାପତି ନିଯୋଗ ପକ୍ଷରୁ ମଧ୍ୟ କିଛି ପରାମର୍ଶ ଦିଆଯାଇଛି। ନୀତି ନିର୍ଘଣ୍ଟ ଅନୁସାରେ ଯେପରି ସମସ୍ତ ରୀତିନୀତି ସମୟରେ ସମ୍ପନ୍ନ ହେବ, ସେଥିପାଇଁ ସେବାୟତଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି। ରଥଯାତ୍ରା ସମୟରେ ସାଧାରଣ ଭକ୍ତଙ୍କୁ ଯେପରି କୌଣସି ଅସୁବିଧା ନ ହେବ ଏବଂ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବିଳମ୍ବ ନ ହେବ, ତାହାକୁ ବୈଠକରେ ପ୍ରାଥମିକତା ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି ଆଇନ ମନ୍ତ୍ରୀ ବିଭିନ୍ନ ସେବାୟତ ନିଯୋଗକୁ ଡାକି ପୂରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ସରକାରଙ୍କ ପ୍ରାଥମିକତା। ଦର୍ଶନ ବ୍ୟବସ୍ଥାରୁ ଆରମ୍ଭ କରି ନୀତିକାନ୍ତି ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ ସେବାୟତ ନିଯୋଗଙ୍କ ସହ ଆଲୋଚନା କରାଯାଇଛି।
ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ମଧ୍ୟ ବୈଠକ ପରେ କହିଛନ୍ତି, ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ସମୟରେ ହେବ ଏବଂ ଭକ୍ତଙ୍କ ଦର୍ଶନ କିଭଳି ସୁଚାରୁ ଭାବେ ହେବ, ସେନେଇ ପରାମର୍ଶ ଦିଆଯାଇଛି। ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମ ଚନ୍ଦ୍ର ଦାସ ମହାପାତ୍ର ମଧ୍ୟ ସମନ୍ୱୟ ଓ ନୀତି ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି।