ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ State Bank of India ର ଗ୍ରାହକମାନଙ୍କ ପାଇଁ ବଡ଼ ସୂଚନା ଆସିଛି। ମେ ୨୩ରୁ ୨୮ ତାରିଖ ମଧ୍ୟରେ ଲଗାତାର ଛଅ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ଶାଖା ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ସପ୍ତାହାନ୍ତ ଛୁଟି, କର୍ମଚାରୀଙ୍କ ପ୍ରସ୍ତାବିତ ଧର୍ମଘଟ ଏବଂ ବକ୍ରିଦ ଛୁଟି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ମେ ୨୩ ଓ ୨୪ ତାରିଖରେ ସପ୍ତାହାନ୍ତ ଛୁଟି ରହିବ। ଏହାପରେ ମେ ୨୫ ଓ ୨୬ରେ SBI କର୍ମଚାରୀ ସଂଘ ପକ୍ଷରୁ ଦୁଇ ଦିନିଆ ଧର୍ମଘଟ ଡାକ ଦିଆଯାଇଛି। ପୁଣି ମେ ୨୭ ଓ ୨୮ରେ ବକ୍ରି-ଇଦ ଅବସରରେ କିଛି ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ। ଫଳରେ ଗ୍ରାହକମାନେ ବ୍ୟାଙ୍କ ଶାଖା ସେବାରେ ବିପର୍ଯ୍ୟୟ ସମ୍ମୁଖୀନ ହୋଇପାରନ୍ତି।
ଧର୍ମଘଟ ପଛରେ କର୍ମଚାରୀଙ୍କ କିଛି ଦାବି ଥିବା କୁହାଯାଉଛି। ସୁରକ୍ଷା କର୍ମୀ ନିଯୁକ୍ତି, ପେନସନ ଫଣ୍ଡ ପରିଚାଳନା ସହ ଅନ୍ୟାନ୍ୟ କର୍ମଚାରୀ ସମସ୍ୟାକୁ ନେଇ ଅସନ୍ତୋଷ ଥିବା ସୂଚନା ମିଳିଛି।
ତେବେ ଗ୍ରାହକମାନଙ୍କ ପାଇଁ ଆଶ୍ୱାସନର କଥା ହେଉଛି, ATM, UPI, YONO ଆପ୍ ଓ ଅନଲାଇନ ବ୍ୟାଙ୍କିଂ ସେବା ସାଧାରଣ ଭାବେ ଚାଲୁ ରହିବ। SBI ପକ୍ଷରୁ ଗ୍ରାହକଙ୍କୁ ଆଗୁଆ ଭାବେ ଜରୁରୀ କାମ ସାରିନେବାକୁ ପରାମର୍ଶ ଦିଆଯାଇଛି।