Latest Odisha News

BREAKING NEWS

ଅଚ୍ୟୁତ ସାମନ୍ତଙ୍କୁ କ୍ରାଇଓଭା ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍

ଭୁବନେଶ୍ୱର: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରୋମାନିଆର ଅନ୍ୟତମ ପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ କ୍ରାଇଓଭା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି।

କ୍ରାଇଓଭା ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଅଚ୍ୟୁତ ସାମନ୍ତଙ୍କ ୭୩ ତମ ସମ୍ମାନସୂଚକ ଡକ୍ଟରେଟ୍। ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ରାଇଓଭା ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ଲିଓନାର୍ଡୋ ଜିଓ ମେନେସ୍କୁ ଏବଂ ଅନ୍ୟାନ୍ୟ ବହୁ ଶିକ୍ଷାବିତ୍‍, ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ୧୯୪୭ରେ ପ୍ରତିଷ୍ଠିତ କ୍ରାଇଓଭା ବିଶ୍ୱବିଦ୍ୟାଳୟ ହେଉଛି ରୋମାନିଆର ଅନ୍ୟତମ ସର୍ବପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ। କ୍ରାଇଓଭା ବିଶ୍ୱବିଦ୍ୟାଳୟର ସିନେଟ୍ ପ୍ରଯୁଜ୍ୟ ଆଇନ ଅଧିନରେ ଏହାର ସାମ୍ବିଧାନିକ ଦାୟିତ୍ୱ ଅନୁଯାୟୀ ଶ୍ରୀ ସାମନ୍ତଙ୍କ ନାମ ସୁପାରିଶ କରିଥିଲା। ଗତ ମାସରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସିନେଟ୍‍ର ପୂର୍ଣ୍ଣାଙ୍ଗ ବୈଠକରେ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ସମ୍ମାନପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏନେଇ ଅଚ୍ୟୁତ ସାମନ୍ତ କହିଛନ୍ତି, ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସେ ନିରନ୍ତର କାମ କରିଆସୁଛନ୍ତି। ଏହି ସମ୍ମାନ ତାଙ୍କୁ  ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ। ଏହି ସମ୍ମାନ କିଟ୍‍ ଓ କିସ୍‍ କର୍ମଚାରୀଙ୍କ ପରିଶ୍ରମର ଫଳ ହୋଇଥିବାରୁ କିଟ୍‍ ଓ କିସ୍‍ର ସମସ୍ତ କର୍ମଚାରୀଙ୍କୁ ଏହି ସମ୍ମାନ ଉତ୍ସର୍ଗ କରିଛନ୍ତି।

 

Leave A Reply

Your email address will not be published.