ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଝାଲମୁଢ଼ି’ ନା ମେଲୋନିଙ୍କୁ ‘ମେଲୋଡି’ ଚକୋଲେଟ୍: କେଉଁ ଭିଡିଓରେ ଆସିଛି ସର୍ବାଧିକ ଭ୍ୟୁଜ୍?
ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯୁଗରେ ରାଜନୀତି କେବଳ ବଡ଼ ବଡ଼ ଭାଷଣ କିମ୍ବା ସମାବେଶରେ ସୀମିତ ହୋଇ ରହିନାହିଁ, ବରଂ ଛୋଟ ଛୋଟ ଘଟଣା ଏବଂ ନିରାଡମ୍ବର ମୁହୂର୍ତ୍ତଗୁଡ଼ିକ ମଧ୍ୟ ଗଭୀର ରାଜନୈତିକ ବାର୍ତ୍ତା ବହନ କରୁଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୁଇଟି ଅଲଗା ଅଲଗା ଭିଡିଓ ଇଣ୍ଟରନେଟରେ ପ୍ରବଳ ଭାଇରାଲ ହୋଇଛି। ଗୋଟିଏ ହେଉଛି ପଶ୍ଚିମବଙ୍ଗର ଝାଡ଼ଗ୍ରାମରେ ‘ଝାଲମୁଢ଼ି’ ଖାଇବାର ଦୃଶ୍ୟ ଏବଂ ଅନ୍ୟଟି ହେଉଛି ଇଟାଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ‘ମେଲୋଡି’ ଚକୋଲେଟ୍ ଉପହାର ଦେବାର ମୁହୂର୍ତ୍ତ। ତେବେ ଡିଜିଟାଲ୍ ଦୁନିଆରେ ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ ଉଠିଛି, ଦେଶୀ ‘ଝାଲମୁଢ଼ି’ ନା ବିଦେଶୀ ମାଟିରେ ‘ମେଲୋଡି’, କେଉଁ ଭିଡିଓ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିଛି ଏବଂ କେଉଁଥିରେ ସର୍ବାଧିକ ଭ୍ୟୁଜ୍ ଆସିଛି?
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି ହଠାତ୍ ଝାଡ଼ଗ୍ରାମର ଏକ ରାସ୍ତାକଡ଼ ଦୋକାନରେ ଅଟକି ଝାଲମୁଢ଼ିର ମଜା ନେଉଥିବା ଦେଖିବାକୁ ମିଳିଥିଲା। ଏହି ସାଧାରଣ ଅନ୍ଦାଜ ସ୍ଥାନୀୟ ଲୋକଙ୍କ ସହ ତାଙ୍କର ସିଧାସଳଖ ସମ୍ପର୍କକୁ ଦର୍ଶାଇଥିଲା। ରିପୋର୍ଟ ଅନୁଯାୟୀ, ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଏହି ଭିଡିଓ ଯଥାକ୍ରମେ ୧୦୦ ମିଲିୟନ୍ ଏବଂ ୯୦ ମିଲିୟନ୍ ଭ୍ୟୁଜ୍ ଅତିକ୍ରମ କରି ଏକ ରେକର୍ଡ ସୃଷ୍ଟି କରିଥିଲା। ଏହା କେବଳ ଏକ ଖାଦ୍ୟର ଭିଡିଓ ନଥିଲା, ବରଂ ନିର୍ବାଚନୀ ମାହୋଲରେ ଏକ ବଡ଼ ‘ସଫ୍ଟ ପାୱାର୍’ ମାଷ୍ଟରଷ୍ଟ୍ରୋକ୍ ଥିଲା ଯାହାକୁ ନେଇ ବିରୋଧୀ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ।
ଅନ୍ୟପଟେ, ଇଟାଲୀ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ସେଠାକାର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଏକ ‘ମେଲୋଡି’ ଟଫି ବା ଚକୋଲେଟ୍ ଉପହାର ଦେଇଥିଲେ। ମେଲୋନି ଏହି ଭିଡିଓକୁ ନିଜର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିବା ମାତ୍ରେ ଏହା ଇଣ୍ଟରନେଟରେ ନିଆଁ ଭଳି ବ୍ୟାପିଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ୯.୮ ମିଲିୟନରୁ ଅଧିକ ଭ୍ୟୁଜ୍ ହାସଲ କରିଥିଲା। ସୋଶିଆଲ ମିଡିଆ ୟୁଜରମାନେ ଏହାକୁ ‘ମେଲୋଡି’ (ମେଲୋନି + ମୋଦୀ) ନାମରେ ନାମିତ କରି ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିଥିବା ବେଳେ ଏବଂ ଗୁଗୁଲ୍ ସର୍ଚ୍ଚରେ ହଠାତ୍ ପାର୍ଲେ କମ୍ପାନୀ ଏବଂ ମେଲୋଡି ଚକୋଲେଟର ଚାହିଦା ବୃଦ୍ଧି ପାଇଥିଲା।
ଯଦି ସାମଗ୍ରିକ ଭ୍ୟୁଜ୍ ଏବଂ ଲୋକପ୍ରିୟତା ଆକଳନ କରାଯାଏ, ତେବେ ପରିସଂଖ୍ୟାନ ଦୃଷ୍ଟିରୁ ଝାଲମୁଢ଼ି ଭିଡିଓ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଅଧିକ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚିଛି (ପାଖାପାଖି ୨୦୦ ମିଲିୟନ୍ ସମ୍ମିଳିତ ଭ୍ୟୁଜ୍)। କିନ୍ତୁ ‘ମେଲୋଡି’ ଭିଡିଓଟି ଆନ୍ତର୍ଜାତୀୟ ସ୍ତରରେ ବିଶେଷ କରି ଏକ୍ସ (X) ପ୍ଲାଟଫର୍ମରେ ଏବଂ ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ପ୍ରାଇମ୍ ଟାଇମ୍ରେ ସର୍ବାଧିକ ଆଲୋଚନାର ବିଷୟ ପାଲଟିଛି।
ଶେଷରେ ଏହା କୁହାଯାଇପାରେ ଯେ, ଡିଜିଟାଲ୍ ସଂଖ୍ୟାରେ ଭ୍ୟୁଜ୍ ଯାହା ବି ଥାଉ ନା କାହିଁକି, ଉଭୟ ‘ଝାଲମୁଢ଼ି’ ଏବଂ ‘ମେଲୋଡି’ ଏହା ପ୍ରମାଣ କରିଦେଇଛି ଯେ ବର୍ତ୍ତମାନର ରାଜନୀତିରେ ବିରାଟ ସମାବେଶ ଅପେକ୍ଷା ଗୋଟିଏ ଛୋଟ କାଗଜ ଠୁଙ୍ଗା କିମ୍ବା ଗୋଟିଏ ଚକୋଲେଟ୍ ମଧ୍ୟ ବ୍ରହ୍ମାସ୍ତ୍ର ପାଲଟିପାରେ।