Latest Odisha News

BREAKING NEWS

ରାଜ୍ୟରେ ଏକାସାଙ୍ଗରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀ ଆଲର୍ଟ: ୨୬ ଯାଏଁ ତାତିରୁ ନିସ୍ତାର ନାହିଁ, ୨୫ ଜିଲ୍ଲାକୁ ବର୍ଷା ସତର୍କତା

ଭୁବନେଶ୍ୱର: ବର୍ତ୍ତମାନ ପୂରା ରାଜ୍ୟ ଅସହ୍ୟ ଗରମ ଏବଂ ଗୁଳୁଗୁଳିରେ ସନ୍ତୁଳି ହେଉଛି। ଆସନ୍ତା ମେ ୨୬ ତାରିଖ ପର୍ଯ୍ୟନ୍ତ ଏହି ଭୟଙ୍କର ତାତିରୁ ନିସ୍ତାର ମିଳିବାର କୌଣସି ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୋଟିଏ ପଟେ ପଶ୍ଚିମ ଓଡ଼ିଶାରେ ସାଂଘାତିକ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅନ୍ୟପଟେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ଆକଳନ କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ଦିନରେ ଦିନର ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ବିଶେଷ କରି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ। ଏହି ସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ଖୋର୍ଦ୍ଧା କଳାହାଣ୍ଡି ନୂଆପଡ଼ା ଏବଂ ବୌଦ୍ଧ ସମେତ ମୋଟ ୧୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନ ଅଞ୍ଚଳରେ ଏକ ହାଇପ୍ରେସର ଜୋନ୍ କିମ୍ବା ହିଟ୍ ଡୋମ୍ ପ୍ରଭାବ ସକ୍ରିୟ ରହିଛି। ଏହି କାରଣରୁ ଉପକୂଳରୁ ନେଇ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଅସହ୍ୟ ଗରମ ଅନୁଭୂତ ହେଉଛି। ଲୋକଙ୍କୁ ଜରୁରୀ କାମ ନଥିଲେ ଖରା ବେଳେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଲୋକଙ୍କୁ ଏହି ତାତିରୁ ସାମାନ୍ୟ ଆଶ୍ୱସ୍ତି ଦେବା ପାଇଁ କାଳବୈଶାଖୀର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୨୫ଟି ଜିଲ୍ଲା ପାଇଁ ବଜ୍ରପାତ ଓ ବର୍ଷା ନେଇ ସତର୍କତା ଜାରି ହୋଇଛି। କଳାହାଣ୍ଡି ବୌଦ୍ଧ ଅନୁଗୋଳ ଢେଙ୍କାନାଳ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।

Leave A Reply

Your email address will not be published.