ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ସେ ବିଜେଡି ଏବଂ ସାଂସଦ ପଦରୁ ସମସ୍ତଙ୍କୁ ଚକିତ କରି ଇସ୍ତଫା ଦେଇଥିଲେ। ନୂଆଦିଲ୍ଲୀ ସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ଦେବାଶିଷଙ୍କୁ ଦଳକୁ ସ୍ୱାଗତ କରାଯାଇଛି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ଅରୁଣ ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେବାଶିଷ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ଭଳି ଜଣେ ଅଭିଜ୍ଞ ନେତା ଦଳକୁ ଆସିବା ଦ୍ୱାରା ସଂଗଠନ ଆହୁରି ମଜବୁତ ହେବ।
ଦେବାଶିଷଙ୍କୁ ଦଳକୁ ସ୍ୱାଗତ କରି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ ଦେବାଶିଷ ଜଣେ ବେଶ୍ ଜଣାଶୁଣା ଓ ଚର୍ଚ୍ଚିତ ଚେହେରା। ସେ ପୂର୍ବରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଓଡ଼ିଶା ରାଜନୀତିରେ ଗୋଟିଏ ବଡ଼ ପରିବର୍ତ୍ତନର ସଙ୍କେତ ବୋଲି ସାମଲ ମତ ପ୍ରକାଶ କରିଛନ୍ତି। ଅନ୍ୟପଟେ ଦେବାଶିଷ ମଧ୍ୟ ତାଙ୍କୁ ବିଜେପି ପରିବାରରେ ସାମିଲ କରିଥିବାରୁ ମନମୋହନ ସାମଲ ଏବଂ କେନ୍ଦ୍ରୀୟ ନେତୃତ୍ୱକୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ବିକାଶ ପାଇଁ ଆଗକୁ ଅନେକ କାମ କରିବାର ଅଛି ବୋଲି ସେ କହିଛନ୍ତି।
ବିଜେଡିରୁ ଇସ୍ତଫା ଦେବା ସମୟରେ ଦେବାଶିଷ ସାମନ୍ତରାୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଦଳ ଭିତରେ ସେ ଦୀର୍ଘ ଦିନ ହେବ ଅପମାନିତ ଅନୁଭବ କରୁଥିବା କଥା ସେ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ସେ ସବୁବେଳେ ଦଳର ହିତ ପାଇଁ ଏବଂ ନିଷ୍ଠାର ସହ କାମ କରିଛନ୍ତି। କିନ୍ତୁ ବିଗତ କିଛି ସମୟ ଧରି ଦଳ ମଧ୍ୟରେ ତାଙ୍କୁ ଯୋଜନାବଦ୍ଧ ଭାବେ କୋଣଠେସା କରାଯାଉଥିଲା ଏବଂ ତାଙ୍କ ଗୁରୁତ୍ୱ କମାଇବାକୁ ଚେଷ୍ଟା କରାଯାଉଥିଲା। ଏହି କାରଣରୁ ସେ ଦଳ ଛାଡ଼ିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି।
ତେବେ ଏହି ଅସନ୍ତୋଷ ଭିତରେ ବି ସେ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଇବାକୁ ଭୁଲିନାହାନ୍ତି। ତାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ସେ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାଦ୍ୱାରା ସେ ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସେବା କରିବା ସହ ଜାତୀୟ ସ୍ତରରେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉଠାଇବାର ସୁଯୋଗ ପାଇଥିଲେ ବୋଲି କହିଛନ୍ତି।
କଟକ ରାଜନୀତିରେ ଦେବାଶିଷ ସାମନ୍ତରାୟ ବିଜେଡିର ଏକ ପ୍ରମୁଖ ସଂଗଠକ ଥିଲେ। ନିର୍ବାଚନୀ ରଣନୀତି ଏବଂ ଦଳ ଗଠନରେ ତାଙ୍କର ଦୀର୍ଘ ବର୍ଷର ଅନୁଭବ ରହିଛି। ବର୍ତ୍ତମାନ ସେ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ଓଡ଼ିଶା ରାଜନୀତିରେ ଏକ ନୂଆ ସମୀକରଣ ଆରମ୍ଭ ହୋଇଛି।