Latest Odisha News

BREAKING NEWS

TET ପାସ୍ ନ କଲେ ଚାକିରିରେ ପଡ଼ିପାରେ ପ୍ରଭାବ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ଶିକ୍ଷକଙ୍କ ପାଇଁ ସୁପ୍ରିମକୋର୍ଟ ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ। ଟିଚର୍ ଏଲିଜିବିଲିଟି ଟେଷ୍ଟ ବା TET ପାସ୍ କରିବା ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ବୋଲି ପୁଣିଥରେ ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ହେଲେ ଏହା ସହିତ ଶିକ୍ଷକମାନଙ୍କୁ ବଡ଼ ଆଶ୍ୱସ୍ତି ମଧ୍ୟ ମିଳିଛି। କୋର୍ଟ TET ଯୋଗ୍ୟତା ହାସଲ ପାଇଁ ସମୟସୀମାକୁ ଆଉ ଏକ ବର୍ଷ ବଢ଼ାଇ ଦେଇଛନ୍ତି।

 

ସୁପ୍ରିମକୋର୍ଟଙ୍କ ନୂଆ ନିର୍ଦ୍ଦେଶ ଅନୁସାରେ, ସେବାରତ ଶିକ୍ଷକମାନେ ୩୧ ଅଗଷ୍ଟ ୨୦୨୮ ସୁଦ୍ଧା TET ପାସ୍ କରିବାକୁ ପଡ଼ିବ। ପୂର୍ବରୁ ଏହି ସମୟସୀମା ୩୧ ଅଗଷ୍ଟ ୨୦୨୭ ଥିଲା। କିନ୍ତୁ ରାଜ୍ୟ ସରକାର, ଶିକ୍ଷକ ସଂଗଠନ ଏବଂ ବିଭିନ୍ନ ପକ୍ଷଙ୍କ ପୁନଃବିଚାର ଆବେଦନକୁ ବିଚାର କରି କୋର୍ଟ ଆଉ ଏକ ବର୍ଷ ରିହାତି ଦେଇଛନ୍ତି।

 

ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହା ହେଉଛି ଶେଷ ସୁଯୋଗ। ଏହାପରେ ଆଉ କୌଣସି ସମୟ ବୃଦ୍ଧି କରାଯିବ ନାହିଁ। ନ୍ୟାୟାଳୟ କହିଛନ୍ତି ଯେ ଶିକ୍ଷାର ଗୁଣବତ୍ତା ସହ କୌଣସି ପ୍ରକାର ଆପୋଷ କରାଯାଇପାରିବ ନାହିଁ। ତେଣୁ ନିର୍ଦ୍ଧାରିତ ଯୋଗ୍ୟତା ହାସଲ କରିବା ସମସ୍ତ ଶିକ୍ଷକଙ୍କ ପାଇଁ ଆବଶ୍ୟକ।

 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୦୯ ମସିହାର ଶିକ୍ଷା ଅଧିକାର ଆଇନ (RTE Act) ପୂର୍ବରୁ ନିଯୁକ୍ତି ପାଇଥିବା ଏବଂ ଅବସର ନେବାକୁ ଆଉ ପାଞ୍ଚ ବର୍ଷରୁ ଅଧିକ ସମୟ ବାକି ଥିବା ଶିକ୍ଷକମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ। ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ TET ପାସ୍ କରିବାକୁ ପଡ଼ିବ।

 

ଅନ୍ୟପଟେ, ଯେଉଁ ଶିକ୍ଷକଙ୍କ ଅବସରକୁ ପାଞ୍ଚ ବର୍ଷରୁ କମ୍ ସମୟ ବାକି ଅଛି, ସେମାନଙ୍କୁ TET ପାସ୍ ନ କରିଲେ ମଧ୍ୟ ଚାକିରି ଜାରି ରଖିବାକୁ ଅନୁମତି ମିଳିବ। ହେଲେ ପଦୋନ୍ନତି ପାଇବାକୁ ହେଲେ ସେମାନଙ୍କୁ ମଧ୍ୟ TET ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ।

 

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଅନେକ ରାଜ୍ୟରେ ଶିକ୍ଷକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଦୀର୍ଘ ବର୍ଷ ଧରି ସେବା ଦେଉଥିବା ଶିକ୍ଷକମାନେ ନିଜ ଚାକିରି ଓ ଭବିଷ୍ୟତକୁ ନେଇ ଚିନ୍ତିତ ଥିବାବେଳେ, କୋର୍ଟଙ୍କ ସମୟ ବୃଦ୍ଧି ନିଷ୍ପତ୍ତି ସେମାନଙ୍କ ପାଇଁ କିଛିଟା ଆଶ୍ୱସ୍ତି ଆଣିଛି।

Leave A Reply

Your email address will not be published.