କଟକ:ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସମବାୟ ଅଧିକାରୀ ଗିରଫ । ଏହି ମାମଲାରେ ପତିତପାବନ ମାଝୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୩୩ ଲକ୍ଷ ୮୦ ହଜାର ଟଙ୍କା ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଭିଜିଲାନ୍ସ ସମବାୟ ଅଧିକାରୀଙ୍କୁ ଗିରଫ କରିଛି । ଅନୁଗୁଳ ୟୁନାଇଟେଡ୍ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ (AUCCB) ମୁଖ୍ୟାଳୟରେ ବ୍ୟାଙ୍କିଂ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ ।
ସୂଚନାଥାଉକି, ୨୦୧୭-୧୮ ଆର୍ଥିକ ବର୍ଷରେ ଗଡ଼ସନ୍ତ୍ରୀ ସର୍ଭିସ୍ କୋ-ଅପରେଟିଭ୍ ସୋସାଇଟିର କାର୍ଯ୍ୟନିର୍ବାହୀ ସଚିବ ଭାବେ କାମ କରୁଥିଲେ ପତିତପାବନ । ଦୈନିକ ଆଦାୟ ହେଉଥିବା ଅର୍ଥ ଓ ସରକାରୀ ଜମା ରାଶି ପରିଚାଳନାର ଦାୟିତ୍ୱରେ ଥିଲେ। ଡେ-ବୁକ୍ ରେ ଜାଲିଆତିପୂର୍ଣ୍ଣ ଓ ମିଥ୍ୟା ଏଣ୍ଟ୍ରି କରି ୩୩ ଲକ୍ଷ ୮୦ ହଜାର ୯୬୩ ଟଙ୍କା ଆତ୍ମସାତ କରିଥିଲେ। ଖାତାବହିରେ ସମସ୍ତ କାରବାର ସଠିକ୍ ଭାବେ ଦର୍ଶାଯାଇଥିବା ସତ୍ତ୍ୱେ ସମ୍ପୃକ୍ତ ନଗଦ ଅର୍ଥ AUCCB(Angul United Central Co-operative Bank)ର ବଅଁରପାଳ ଶାଖାରେ ଜମା ହୋଇନଥିଲା । କୃଷି ଓ ସମବାୟ ଉନ୍ନୟନ ଯୋଜନା ପାଇଁ ଉଦ୍ଦିଷ୍ଟ ଏହି ଅର୍ଥକୁ ବ୍ୟକ୍ତିଗତ ବ୍ୟବହାର ପାଇଁ ହଡ଼ପ କରାଯାଇଥିବା ଭିଜିଲାନ୍ସରେ ଅଭିଯୋଗ କରିଛି।