ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସଆଇଆର(SIR) ଆରମ୍ଭ ହୋଇଛି । ରାଜ୍ୟରେ ପ୍ରଥମ ଦିନରେ ୨ ଲକ୍ଷ ୫୯ ହଜାର ୧୬୬ ଜଣ ଭୋଟରଙ୍କୁ ବିଏଲଓମାନଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ କରାଯାଇଛି ।
ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ )ନିଜ ନିଜ ଅଞ୍ଚଳରେ ଘରକୁ ଘର ବୁଲି ଭୋଟରମାନଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ସ୍ୱତନ୍ତ୍ର ପରିଗଣନା ଫର୍ମ ବଣ୍ଟନ କରାଯାଉଛି । ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ ଦେବା ଏବଂ ଭୋଟର କାର୍ଡରେ ଥିବା ତ୍ରୁଟି ସଂଶୋଧନ ପାଇଁ ଏହି ସଘନ ଅଭିଯାନ ଜାରି ରହିଛି ।
ବିଏଲଓମାନଙ୍କୁ ସହଯୋଗ କରିବା ପାଇଁ ରାଜ୍ୟରେ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫରୁ ୩୩ ହଜାର ୨୬ ଜଣଙ୍କୁ ନିଯୁକ୍ତ କରାଯାଇଛି । ବିଜେପିରୁ ସର୍ବାଧିକ ୧୯ ହଜାର ୩୮୦, ବିଜେଡି ୮ ହଜାର ୮୮୧, କଂଗ୍ରେସ ୪ ହଜାର ୬୫୮, ସିପିଆଇଏମ୍ ୬୦, ବିଏସ୍ପି ପକ୍ଷରୁ ୪୭ ଜଣ ବି ଏଲଏ ନିଯୁକ୍ତ ହୋଇଛନ୍ତି
ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-III) ଯୋଗାଇ ଦିଆଯାଉଛି । ଭୋଟରମାନେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ voters.eci.gov.in ରେ ଏହି ଫର୍ମ ଡାଉନଲୋଡ କରିପାରିବେ । ପୂରଣ ପରେ ବିଏଲଓମାନଙ୍କୁ ଫର୍ମ ପ୍ରଦାନ କରିପାରିବେ । ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା ରାଜ୍ୟରେ ଏକ ସ୍ୱଚ୍ଛ ଓ ସଠିକ ଭୋଟର ତାଲିକା ପ୍ରସ୍ତୁତ କରାଯାଇପାରିବ । ସର୍ଭେ ସମୟରେ ସମସ୍ତ ଭୋଟର ବିଏଲଓମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।
ଫର୍ମ ବାଣ୍ଟିବାର କିଛି ଦିନ ପରେ ବିଏଲଓ ମାନେ ପୁଣି ଥରେ ଘରକୁ ଆସି ପୂରଣ ହୋଇଥିବା ଫର୍ମଗୁଡ଼ିକୁ ସଂଗ୍ରହ କରିବେ । ଏଥି ସହିତ ସେମାନେ ଦୁଇଟି ଫର୍ମରୁ ଗୋଟିଏ ନିଜ ସହ ନେବେ । ନାଗରିକମାନଙ୍କୁ ପ୍ରମାଣ ସ୍ୱରୂପ ଅନ୍ୟ ଫର୍ମ ଦସ୍ତଖତ କରି ପ୍ରଦାନ କରିବେ । ଯେଉଁମାନେ ବାହାରେ ରହୁଛନ୍ତି କିମ୍ବା ଅଫଲାଇନରେ ଫର୍ମ ପୂରଣ କରିପାରିବେ ନାହିଁ, ସେମାନେ voters.eci.gov.in ଜରିଆରେ ଅନଲାଇନ ମାଧ୍ୟମରେ ନିଜର ଆବେଦନ ଦାଖଲ କରିପାରିବେ । ଯାହାକୁ ପରେ ବିଏଲଓ ଓ ଇଆରଓ ଯାଞ୍ଚ କରିବେ ।