Latest Odisha News

BREAKING NEWS

ସ୍ମାର୍ଟଫୋନକୁ ପ୍ରତିଦିନ ରିଷ୍ଟାର୍ଟ କରିବା ଉଚିତ କି? ଜାଣନ୍ତୁ ଏହା ପଛର ଫାଇଦା ଓ କ୍ଷତି

ଆଜିକାଲି ସ୍ମାର୍ଟଫୋନ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ଲଗାତାର ମୋବାଇଲ ବ୍ୟବହାର କରୁଛୁ। ଦିନରାତି କାମ କରିବା ଫଳରେ ଫୋନର ହାର୍ଡୱେର ଏବଂ ସଫ୍ଟୱେର ଉପରେ ଚାପ ପଡିଥାଏ। ଏଭଳି ସ୍ଥିତିରେ ମୋବାଇଲକୁ ପ୍ରତିଦିନ ରିଷ୍ଟାର୍ଟ କରିବା ଉଚିତ କି ନୁହେଁ ତାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠେ।

 

ବୈଷୟିକ ବିଶେଷଜ୍ଞଙ୍କ ମତରେ ଫୋନକୁ ରିଷ୍ଟାର୍ଟ କରିବା ଏକ ଭଲ ଅଭ୍ୟାସ। ଲଗାତାର ବ୍ୟବହାର ଦ୍ୱାରା ଫୋନର ବ୍ୟାକଗ୍ରାଉଣ୍ଡରେ ଅନେକ ଆପ୍ ଚାଲୁ ରହିଥାଏ ଯାହା ରାମ୍ ଉପରେ ଚାପ ପକାଏ। ମୋବାଇଲକୁ ରିଷ୍ଟାର୍ଟ କରିବା ଦ୍ୱାରା ଏହି ସବୁ ଅଦରକାରୀ ପ୍ରୋସେସ୍ ବନ୍ଦ ହୋଇଯାଏ। ଫଳରେ ରାମ୍ ଖାଲି ହେବା ସହ ଫୋନର ସ୍ପିଡ୍ ବଢିଯାଏ ଏବଂ ମୋବାଇଲ ଆଉ ହ୍ୟାଙ୍ଗ୍ ହୁଏ ନାହିଁ।

 

ଏହା ବ୍ୟତୀତ ବ୍ୟାଟେରୀ ବ୍ୟାକଅପ୍ ଏବଂ ଓଭର ହିଟିଂ ସମସ୍ୟା ଦୂର କରିବାରେ ମଧ୍ୟ ରିଷ୍ଟାର୍ଟ ସାହାଯ୍ୟ କରେ। ଅନେକ ସମୟରେ ଆମ ଅଜାଣତରେ କିଛି ଆପ୍ ବ୍ୟାଟେରୀ ଖର୍ଚ୍ଚ କରୁଥାନ୍ତି। ରିଷ୍ଟାର୍ଟ କଲେ ଏହି ଆପ୍ ଗୁଡିକ ବନ୍ଦ ହୋଇଯିବା ସହ ପ୍ରୋସେସରକୁ ସାମାନ୍ୟ ବିଶ୍ରାମ ମିଳିଥାଏ। ଖାସ କରି ଗେମ୍ ଖେଳିବା ବା ଲମ୍ବା ସମୟ ଧରି ଭିଡିଓ ଦେଖିବା ଦ୍ୱାରା ଫୋନ ଗରମ ହେଉଥିଲେ ରିଷ୍ଟାର୍ଟ କରିବା ଏକ ବଢିଆ ଉପାୟ ଅଟେ।

 

ତେବେ ଫୋନକୁ ପ୍ରତିଦିନ ରିଷ୍ଟାର୍ଟ କରିବା କୌଣସି ବାଧ୍ୟତାମୂଳକ ନିୟମ ନୁହେଁ। ଯଦି ଆପଣଙ୍କ ମୋବାଇଲ ସଠିକ ଭାବେ କାମ କରୁଛି ତେବେ ଏହାକୁ ଦୈନିକ ରିଷ୍ଟାର୍ଟ କରିବାର ଆବଶ୍ୟକତା ନାହିଁ। ବହୁତ ଅଧିକ ବ୍ୟବହାର କରୁଥିଲେ ସପ୍ତାହକୁ ଅତିକମରେ ଥରେ ବା ଦୁଇଥର ଫୋନକୁ ରିଷ୍ଟାର୍ଟ କରିବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଆପଣଙ୍କ ସ୍ମାର୍ଟଫୋନ ଲମ୍ବା ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବ।


 

Leave A Reply

Your email address will not be published.