ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହି ଉତ୍ସବରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବାର ଦୃଢ଼ ସମ୍ଭାବନା ରହିଛି। ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏହି ଗସ୍ତ ପାଇଁ ସବୁଜ ସଙ୍କେତ ମିଳିଥିବା ନିଜେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ଦୁଇ ବର୍ଷ ଭିତରେ ମୋହନ ସରକାର କଣ କରିଛନ୍ତି ଏହାର ଏକ ରିପୋର୍ଟ ପ୍ରଧାନମନ୍ତ୍ରୀ ମାଗିଥିବା ସୂଚନା ରହିଛି।
ଆସନ୍ତା ଜୁନ ୧୨ ତାରିଖରେ ମୋହନ ସରକାର କ୍ଷମତାକୁ ଆସିବାର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ବିଭିନ୍ନ ବିଭାଗର ସଫଳତା ଏବଂ ପ୍ରଗତି ଉପରେ ଆଲୋଚନା କରିଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ କିପରି ପହଞ୍ଚିଛି ଏବଂ କେଉଁ ସବୁ ବିକାଶମୂଳକ କାର୍ଯ୍ୟ ହୋଇଛି ସେନେଇ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ଜୁନ ୧୨ କିମ୍ବା ଜୁନ ୨୦ ଅଥବା ସେପ୍ଟେମ୍ବର ୧୭ ତାରିଖ ମଧ୍ୟରୁ ଯେକୌଣସି ଦିନ ସମୟ ବାହାର କରିବାକୁ ଅନୁରୋଧ କରାଯାଇଛି। ଗସ୍ତର ପ୍ରକୃତ ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ଖୁବଶୀଘ୍ର ପିଏମଓ ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଅନ୍ୟପଟେ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ପାଳନ ପାଇଁ ଜୁନ ୧୨ ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ତଥା ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
ଏହି ଦଶ ଦିନିଆ ଉତ୍ସବରେ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯିବ। ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ସଚିବମାନେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ରିପୋର୍ଟ କାର୍ଡ ଉପସ୍ଥାପନ କରିବେ। ଏହା ସହିତ ସୂଚନା ପୁସ୍ତିକା ଏବଂ ଡିଜିଟାଲ ମାଧ୍ୟମ ଜରିଆରେ କଲ୍ୟାଣକାରୀ ଯୋଜନାର ସଫଳତା ବାବଦରେ ସାଧାରଣ ଲୋକଙ୍କୁ ଅବଗତ କରାଯିବାର କାର୍ଯ୍ୟକ୍ରମ ରହିଛି।