ଜଗତସିଂହପୁର: ଡ୍ୟୁଟିରେ ଅବହେଳା କରିବା ପଡିଲା ମହଙ୍ଗା ପଡିଲା । ନିଲମ୍ବିତ ହେଲେ ପାରାଦୀପ ଅବକାରୀ ଇନ୍ସେପେକ୍ଟର ବନ୍ଦନା ପଟ୍ଟନାୟକ । ଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ଅବକାରୀ କମିସନର ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।
ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅବକାରୀ ଅଧୀକ୍ଷକ କାର୍ଯ୍ୟାନୁଷ୍ଠାନ ନନେଇ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ । ଜିଲ୍ଲାପାଳ ଏ କଥା ଜାଣିବା ପରେ ଅବକାରୀ ଅଧୀକ୍ଷକଙ୍କ ଉପରେ କ୍ଷୁବ୍ଧ ହେବା ସହ କାରଣଦର୍ଶାଅ ମାଗିଥିଲେ । ଏହାପରେ ଇନ୍ସପେକ୍ଟରଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ କମିସନରଙ୍କୁ ଚିଠି ଲେଖିଥିଲେ ଜିଲ୍ଲାପାଳ ।
ସେହିପରି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ଅବକାରୀ ଅଧୀକ୍ଷକଙ୍କ ଦରମା ବନ୍ଦ ପାଇଁ ବିଭାଗକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ ।
ସୂଚନା ଅନୁସାରେ, ଗତ ୨୨ ତାରିଖରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଅଠରବାଙ୍କୀ ଠାରେ ସର୍ବସାଧାରଣରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା । ମଦୁଆ ଧରପଗଡ଼ କରା ଯାଇଥିଲା । ହେଲେ ଏହି ସମୟରେ ପାରାଦୀପ ରେଞ୍ଜ ଅବକାରୀ ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକଙ୍କୁ ଖୋଜା ପଡ଼ିଥିଲା । କିନ୍ତୁ ସେ ଅନୁପସ୍ଥିତ ଥିଲେ ।