Latest Odisha News

BREAKING NEWS

ବିଜେଡି ଛାଡି ବିଜେପିରେ ଯୋଗଦେଲେ ରୁଦ୍ର ନାରାୟଣ ସାମନ୍ତରାୟ

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ରୁଦ୍ରନାରାୟଣ ସାମନ୍ତରାୟ ବିଜେଡି ଛାଡ଼ି ସମର୍ଥକଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି ।
ସେହିପରି ଖୋର୍ଦ୍ଧା ଜିଲ୍ଲା ଯୁବ ସମ୍ପାଦକ ଅଶୋକ ପଲେଇ, ଲୋପାମୁଦ୍ରା ନାୟକ, ଦେବଶିଷ ରଣା, ମିଲନ ପାଇକରାଏ, ସୌରଭ ମହାନ୍ତି, ବିଶ୍ୱଜିତ୍ ଦାସ, ଶୈଳେନ୍ଦ୍ର ପ୍ରସାଦ ରାଏ, ରାଜା ନିର୍ମାୟା ପ୍ରସାଦ, ସନ୍ଦୀପ କୁମାର ବଳ, ସୁମନ କୁମାରୀ, ସ୍ୱୀକୃତି ପଟ୍ଟନାୟକ, ବିବେକାନନ୍ଦ କର, ଶୈଳେନ୍ଦ୍ର ରାଏ ପ୍ରମୁଖ ବିଜେଡି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ନୂତନ କାର୍ଯ୍ୟକର୍ତାଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରାଯାଇଛି ।

ଏହି ଅବସରରେ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ କହିଛନ୍ତି ଯେ, ଆଜିର ମିଶ୍ରଣ ପର୍ବ ପରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହୋଇଛି । ଭାରତୀୟ ଜନତା ପାର୍ଟିର କାର୍ଯ୍ୟ ଶୈଳୀ ଓ ବିଚାରଧାରା ଉପରେ ବିଶ୍ୱାସ କରି କାର୍ଯ୍ୟକର୍ତ୍ତାମାନେ ଅନ୍ୟାନ୍ୟ ରାଜନୈତିକ ଦଳ ଛାଡି ବିଜେପିରେ ଯୋଗ ଦେଉଛନ୍ତି । କାରଣ ବିଜେପି ସକାରାତ୍ମକ ରାଜନୀତିରେ ବିଶ୍ୱାସ କରି ରାଷ୍ଟ୍ର ନିର୍ମାଣକୁ ଗୁରୁତ୍ୱ ଦିଏ । ଆଗାମୀ ଦିନରେ ଆମ ସମସ୍ତଙ୍କୁ ନିସ୍ୱାର୍ଥଭାବେ ଅନେକ କାର୍ଯ୍ୟ କରିବାର ଅଛି । ପ୍ରତ୍ୟେକ ଘରେ ପହଂଚିବାର ଅଛି । ସମାଜରେ ରହୁଥିବା ବିଭିନ୍ନ ବର୍ଗର ଲୋକଙ୍କ କଥା ବୁଝିବାର ଅଛି ।

ଏନେଇ ରାଷ୍ଟ୍ର ନିର୍ମାଣର ଭାବନା ନେଇ ସମସ୍ତେ ଗୋଟିଏ ଦିଶାରେ କାର୍ଯ୍ୟକରି ଦଳକୁ ଅଧିକ ସୁଦୃଢ଼ କରିବାକୁ ଷଡ଼ଙ୍ଗୀ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ରୁଦ୍ରନାରାୟଣ ସାମନ୍ତରାୟ କହିଛନ୍ତି ଯେ, ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ୨୦ ବର୍ଷ ହେବ ବିଭିନ୍ନ ସାମାଜିକ ସଂଗଠନ ମାଧ୍ୟମରେ ସେ ଲୋକଙ୍କ ସେବା କରି ଆସୁଥିଲେ । ଲୋକଙ୍କ ଅଧିକ ସେବା କରିବା ପାଇଁ ୨୦୧୯ରେ ବିଜେଡିରେ ଯୋଗଦେଇଥିଲେ । ମାତ୍ର ସେଠାରେ ଲୋକଙ୍କୁ ଠିକ୍ ଭାବେ ସେବା କରିବାକୁ ସୁଯୋଗ ମିଳୁ ନଥିଲା । ଉଚିତ୍ ନେତୃତ୍ୱ, ପ୍ରେରଣା ଓ ସକ୍ରିୟ ମାର୍ଗଦର୍ଶନ ମିଳିପାରୁ ନଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆଗକୁ ବଢ଼ୁଥିବା ଦେଖି ବିଜେପିରେ ଯୋଗ ଦେବାକୁ ସ୍ଥିର କରିଥିଲେ । ବିଜେପି ଏକ ଦଳ ନୁହେଁ ରାଷ୍ଟ୍ର ନିର୍ମାଣର ଏକ ପରିବାର । ଏହି ପରିବାରରେ ଯୋଗଦେଇଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଥବା କହି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.