ବରଗଡ଼: ବରଗଡ଼ ଟାଉନ ଥାନା ପୋଲିସକୁ ସଫଳତା । କଫ ସିରପ୍ ସହ ବନ୍ଧୁକ ସହିତ ଜୀବନ୍ତ ଗୁଳି ଧରି ଚାଲାଣ କରୁଥିବାବେଳେ, ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ, ଅତାବିରା ଶାନ୍ତିପଡ଼ାର ଧୀରଜ ଗହୀର(୨୦), ଜାମଟିକ୍ରା ଗ୍ରାମର ସିକଲା କିରନ କୁମାର(୨୧), ବରଗଡ଼ ଜିଲ୍ଲା ଅତାବିରା ଥାନା ସିଂହପାଲି ଗ୍ରାମର ଟି. ରାମକୋଟି ରେଡ୍ଡି(୨୩) ଓ ଛତିଶଗଡ଼ ରାଜ୍ୟ ରାୟପୁର ଜିଲ୍ଲା ପଣ୍ଡ୍ରି ଥାନା ଅନ୍ତର୍ଗତ ପଣ୍ଡ୍ରିମୋୱା ଗ୍ରାମର କିଶୋର ଯାଦବ(୨୬) ।
ପୋଲିସ ସେମାନଙ୍କ ପାଖରୁ ୧୦୦ବୋତଲ କଫ ସିରପ୍, ଗୋଟିଏ ଦେଶୀ ପିସ୍ତଲ, ୩ ଅଫୁଟା ଗୁଳି, ୧୦ଷ୍ଟ୍ରିପ୍ ନାଇଟ୍ରୋସନ ଟାବଲେଟ, ନଗଦ ୨୦୦୦ ଟଙ୍କା, ବ୍ୟବହୃତ ଟାଟା ସଫାରି ଗାଡ଼ି ଏବଂ ୩ ମୋବାଇଲ ଜବତ କରିଛି । ଏନେଇ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରିଛି ।
ଅଭିଯୁକ୍ତମାନେ କଫ୍ ସିରପ୍ ଚାଲାଣ କରୁଥିବା ନେଇ ସ୍ଥାନୀୟ ଟାଉନ ଥାନା ପୋଲିସକୁ ସୂଚନା ମିଳିଥିଲା । ଏହାପରେ ପୋଲିସ ସେମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଯାଞ୍ଚବେଳେ ଏହି ସବୁ ସାମଗ୍ରୀକୁ ଜବତ ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।