Latest Odisha News

BREAKING NEWS

ବ୍ରହ୍ମପୁରରେ ପୋଲିସ ବାବୁଙ୍କ ଦେହରେ ଲାଗିଲା ନିଆଁ: ସ୍ତ୍ରୀ ଓ ଶଳାଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ

ବ୍ରହ୍ମପୁର: ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ପୋଲିସ କନେଷ୍ଟବଳଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଭଳି ଏକ ସାଂଘାତିକ ଅଭିଯୋଗ ତାଙ୍କ ନିଜ ସ୍ତ୍ରୀ ଏବଂ ଶଳାଙ୍କ ନାଁରେ ଆସିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି। ଆହତ କନେଷ୍ଟବଳଙ୍କ ନାମ ଆଶୁତୋଷ ମୃଦଙ୍ଗିଆ ବୋଲି ଜଣାପଡିଛି ଏବଂ ସେ ଛତ୍ରପୁରରେ ମୋଟର ଯାନ ବିଭାଗରେ କାର୍ଯ୍ୟରତ ଅଛନ୍ତି।

 

ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜିପୁର ପୋଲିସ କଲୋନୀରେ ଏହି ଦୁଃଖଦ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଆଶୁତୋଷଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଅଂଶ ଜଳିଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଆଶୁତୋଷଙ୍କ ଭଉଣୀ ନିବେଦିତା ଦେବୀଙ୍କ ଅଭିଯୋଗ ଆଧାରରେ ପୋଲିସ ଆଶୁତୋଷଙ୍କ ସ୍ତ୍ରୀ ସନ୍ଧ୍ୟା ନାୟକ ଏବଂ ତାଙ୍କ ଭାଇଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

ପ୍ରାୟ ଦେଢ଼ ବର୍ଷ ତଳେ ଆଶୁତୋଷ ଏବଂ ସନ୍ଧ୍ୟାଙ୍କର ବିବାହ ହୋଇଥିଲା। ସନ୍ଧ୍ୟା ମଧ୍ୟ ଜଣେ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି। ପାରିବାରିକ ଅଶାନ୍ତି ଏବଂ ବିବାଦ କାରଣରୁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା। ଏପରିକି ପୂର୍ବରୁ ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଶୁତୋଷ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ। ନିକଟରେ ସେ ଜାମିନରେ ଆସିବା ପରେ ପୁଣି ଏହି ବିବାଦ ଉଗ୍ର ରୂପ ନେଇଥିଲା।

 

ଅନ୍ୟପକ୍ଷରେ ନିଜ ସ୍ୱାମୀଙ୍କ ଦେହରେ ନିଆଁ ଲଗାଇଥିବା ଅଭିଯୋଗକୁ ସନ୍ଧ୍ୟା ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି। ଆଶୁତୋଷ ନିଜେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସେ ପାଲଟା ଦାବି କରିଛନ୍ତି। ଏହା ହତ୍ୟା ଉଦ୍ୟମ ନା ଆତ୍ମହତ୍ୟା ପ୍ରୟାସ ସେ ନେଇ ବ୍ରହ୍ମପୁର ଏସପି ଶରବଣା ବିବେକ ଏମଙ୍କ ନିର୍ଦ୍ଦେଶକ୍ରମେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ପୋଲିସ ସମସ୍ତ ଦିଗକୁ ଟିକନିଖି ତଦନ୍ତ କରୁଛି।

Leave A Reply

Your email address will not be published.