Latest Odisha News

BREAKING NEWS

Delhi Fire: LGP ସିଲିଣ୍ଡର ନୁହେଁ ଇଲେକ୍ଟ୍ରିକ୍ ଷ୍ଟୋଭରୁ ଘଟିଥିଲା ଅଗ୍ନିକାଣ୍ଡ, ସତ ଓଗାଳିଲା ହୋଟେଲ ରୋଷେୟା

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଘଟିଥିବା ହୋଟେଲ ଅଗ୍ନିକାଣ୍ଡର ତଦନ୍ତ ଆଗକୁ ବଢ଼ିବା ସହିତ, ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ଭୟାବହ ଅଗ୍ନିକାଣ୍ଡ ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହୋଟେଲର ରୋଷେୟା କେଶବ ନେଗିଙ୍କୁ ଗିରଫ କରିଛି ପୋଲିସ। ଦିଲଶାଦ ଗାର୍ଡେନ୍ ଅଞ୍ଚଳ ବାସିନ୍ଦା କେଶବ ନେଗିକୁ ପଚରାଉଚରା ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ହୋଟେଲରେ କେମିତି ନିଆଁ ଲାଗିଲା ତାହାର ଆସଲ କାରଣ ବା ସତ ଓଗାଳିଛି ହୋଟେଲ ରୋଷେୟା କେଶବ। ରୋଷେଇ ବେଳେ ଏଲପିଜି ସିଲିଣ୍ଡର ନୁହେଁ ବରଂ ଇଲେକ୍ଟ୍ରିକ୍ ଷ୍ଟୋଭ୍ ଫାଟିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

ପୋଲିସ ହେପାଜତରେ ଥିବା ରୋଷେୟା କେଶବ ନେଗି ଘଟଣା ଦିନ କଣ ହୋଇଥିଲା ସବୁ ସତ ସ୍ୱୀକାର କରିଛି। ଘଟଣା ଦିନ ସେ ରୋଷେଇ ଘରେ କାମ କରୁଥିଲା, ସେତେବେଳେ ବିଦ୍ୟୁତ ଚୁଲି ବା ଇଲେକ୍ଟ୍ରିକ୍ ଷ୍ଟୋଭରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରୁ ତୁରନ୍ତ ଭୟଙ୍କର ଅଗ୍ନିକାଣ୍ଡର କାରଣ ସାଜିଥିଲା। କେଶବର କହିବା ଅନୁଯାୟୀ, ସେ ଶୀଘ୍ର ପଦକ୍ଷେପ ନେଇ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ବିଦ୍ୟୁତ ସଂଯୋଗ ବନ୍ଦ କରି ଦେଇଥିଲା, ହେଲେ ସେତେବେଳେ ବହୁତ ବିଳମ୍ବ ହୋଇଯାଇଥିଲା। ହୋଟେଲର ଇଲେକ୍ଟ୍ରିକ୍ ୱାୟାରିଂ ଭିତରକୁ ନିଆଁ ବ୍ୟାପିଯାଇଥିଲା। ଚାହୁଁ ଚାହୁଁ ପୂରା ହୋଟେଲ୍ ନିଆଁ କବଳିତ କରିଥିଲେ। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ହେଟେଲ୍ ଭିତରକୁ ଲୋକ ବାହାରି ପାରିନଥିଲେ। ନିଆଁକୁ ଆୟତ୍ତ କରିବା ଅଗ୍ନିଶହ ବାହିନୀ ପକ୍ଷେ ଅସମ୍ଭବ ହୋଇଥିଲା। ଯାହା ଫଳରେ ଅକାରଣରେ ଏତେ ଜୀବନ ଚାଲିଗଲା।

ଦିଲ୍ଲୀ ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ହୋଟେଲର ଆଭ୍ୟନ୍ତରୀଣ ତାରରେ ସର୍ଟ ସର୍କିଟ୍ ଏବଂ ରୋଷେୟାର ଅବହେଳା ଏହି ଭୟଙ୍କର ଘଟଣାରେ ସହାୟକ ହୋଇଥିଲା। ତଦନ୍ତ ଦଳ ଘଟଣାସ୍ଥଳରେ କୌଣସି ଏଲପିଜି ସିଲିଣ୍ଡର ବିସ୍ଫୋରଣର ପ୍ରମାଣ ପାଇନାହିଁ। ହୋଟେଲରେ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ ସହ ସୁରକ୍ଷା ବ୍ୟବସ୍ଥାର ଗୁରୁତର ତ୍ରୁଟି ରହିଥିଲା। ଘଟଣା ସମୟରେ ଦମକଳ ବାହିନୀ ଓ ପୁଲିସର ତତ୍ପରତା ଦେଖାଇ ୪୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଆହାତ ମାନଙ୍କମଧ୍ୟରୁ ୧୫ଜଣ ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଯେଉଁଥିରେ ୧୩ ଜଣ ବିଦେଶୀ ନାଗରିକ ରହିଛନ୍ତି।

ଏହି ଦୁଃଖଦ ଅଗ୍ନିକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୯ ଜଣ ଭାରତୀୟ ଏବଂ ୧୨ ଜଣ ବିଦେଶୀ ନାଗରିକ ତଥା ବାଂଲାଦେଶ, ଲାଇବେରିଆ, ନାଇଜେରିଆ ଓ ମୋଜାମ୍ବିକର ବାସିନ୍ଦା ରହିଛନ୍ତି । ଏହି ମାମଲାରେ ପୂର୍ବରୁ ହୋଟେଲ ମାଲିକ ଲଭକେଶ ବଜାଜ, ସ୍ୱିଟି ସରକାର ଏବଂ ପୁଷ୍ପୋ ସରକାରଙ୍କୁ ଗିରଫ କରାଯାଇଥିଲା। କେଶବ ନେଗୀଙ୍କ ଗିରଫ ପରେ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.