Heavy rains with stormy wind: ଟ୍ବିନ୍ ସିଟିରେ କାଳବୈଶାଖୀ ବର୍ଷା;ବଜ୍ରାଘାତରେ ଚଣ୍ଡୀମନ୍ଦିର ଚୂଡ଼ାରୁ ଖସିଲା ପଥର
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଏବଂ କଟକରେ ଆଜି ସନ୍ଧ୍ୟାରେ ପୁଣି ଥରେ କାଳବୈଶାଖୀ ତାଣ୍ଡବ ରଚିଛି। ଏପଟେ ଝଡ ପବନରେ ମା’ କଟକଚଣ୍ଡୀ ମନ୍ଦିର ଉପରେ ବଜ୍ରପାତ ଯୋଗୁ ମନ୍ଦିରରୁ ପଥର ଖସିଥିବା ଦେଖିବାକୁ ମିଳିଛି । ବଜ୍ରପାତ ଯୋଗୁ ମନ୍ଦିର ଶିଖରରେ ଫାଟ ସୃଷ୍ଟି ହୋଇଛି । ଏହି ସମୟରେ ଚଣ୍ଡୀମନ୍ଦିର ରାସ୍ତା ଦେଇ ଯାଉଥିବା ଲୋକେ ଭୟଭୀତ ହୋଇ ପଡ଼ିଥିଲେ।
ଅନ୍ୟପଟେ ଓଏମପି କନ୍ଦରପୁର ଜାତୀୟ ରାଜପଥରେ ଏକାଧିକ ଗଛ ଭାଙ୍ଗିକି ପଡିଛି । ଯାତାୟାତ ବାଧାପ୍ରାପ୍ତ ହୋଇଛି । ଅଗ୍ନିଶମ ବାହିନୀ ଗଛ କାଟି ରାସ୍ତା ସଫା କରୁଛନ୍ତି ।
ଅନ୍ୟପଟରେ ବର୍ଷା ଯୋଗୁଁ ଗ୍ରୀଷ୍ମ ପ୍ରବାହରୁ ଲୋକମାନେ ସାମୟିକ ଆଶ୍ୱସ୍ତି ପାଇଛନ୍ତି।
ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ, ଆଉ ୩ ଦିନ ଗରମ ଓ ଗୁଳୁଗୁଳି ପାଗ ଲାଗି ରହିବ । ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଅପରାହ୍ଣ କିମ୍ବା ସନ୍ଧ୍ୟା ସମୟରେ କାଳବୈଶାଖୀ ବର୍ଷା ହୋଇପାରେ ।
ପାଣିପାଗ ବିଭାଗ ଅନୁସାରେ, ଜୁନ୍ ୭ ଓ ୮ ତାରିଖରେ ଉତ୍ତର ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
ଅନ୍ୟପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଜୁନ୍ ୮ ରୁ ୧୨ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ରାଜ୍ୟବାସୀ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତି ପାଇବା ପାଇଁ ମୌସୁମୀକୁ ଅପେକ୍ଷା କରିଥିବା ବେଳେ ଏହି ଖବର ସାମାନ୍ୟ ଆଶା ସଞ୍ଚାର କରିଛି।