Latest Odisha News

୫୧ ବର୍ଷରେ ଶିଳ୍ପା ଶେଟ୍ଟୀ

ମୁମ୍ବାଇ: ବଲିଉଡ୍‌ର ସଦାବହାର ଏବଂ ଫିଟ୍‌ନେସ୍ ଆଇକନ୍ ଶିଳ୍ପା ଶେଟ୍ଟୀଙ୍କୁ ଆଜି ୫୧ ବର୍ଷ ବୟସ ହୋଇଛି। ଜୁନ୍ ୮ ତାରିଖରେ ନିଜର ଏହି ସ୍ପେଶାଲ ବର୍ଥଡେ’ ପାଳନ କରୁଛନ୍ତି ଅଭିନେତ୍ରୀ। ତେବେ ଏହି ଖାସ୍ ଅବସରରେ ସ୍ୱାମୀ ରାଜ୍ କୁନ୍ଦ୍ରା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶିଳ୍ପାଙ୍କୁ ନିଜ ଜୀବନର ‘ଦେବୀ’ ବୋଲି ସମ୍ବୋଧନ କରି ଏକ ହୃଦୟସ୍ପର୍ଶୀ ଭିଡିଓ ଟ୍ରିବ୍ୟୁଟ୍ ଦେଇଛନ୍ତି ରାଜ୍।

ଆଜି ହେଉଛି ବଲିଉଡ୍ ଅଭିନେତ୍ରୀ ତଥା ସଫଳ ମହିଳା ଉଦ୍ୟୋଗୀ ଶିଳ୍ପା ଶେଟ୍ଟୀଙ୍କ ଜନ୍ମଦିନ। ଏହି ଅବସରରେ ସ୍ୱାମୀ ରାଜ୍ କୁନ୍ଦ୍ରା ଏକ ପାରମ୍ପରିକ ଶୁଭେଚ୍ଛା ବଦଳରେ ଶିଳ୍ପାଙ୍କ ବ୍ୟକ୍ତିତ୍ୱ, ଦୟା, ଶକ୍ତି, ଏବଂ କରୁଣାକୁ ପ୍ରଶଂସା କରି ଏକ ବିଶେଷ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ମଣ୍ଟାଜ୍‌ରେ ଶିଳ୍ପାଙ୍କ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ପୋଷାକର ଝଲକ ଦେଖିବାକୁ ମିଳିଛି।

ରାଜ୍ କୁନ୍ଦ୍ରା ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, “ଏଥର ଜନ୍ମଦିନ ପୋଷ୍ଟ କୌଣସି ପାର୍ଟି କିମ୍ବା ସେଲିବ୍ରେସନକୁ ନେଇ ନୁହେଁ, ବରଂ ତୁମେ ମୋ ଜୀବନରେ କ’ଣ ମାନେ ରଖ ସେହି ବିଷୟରେ। ଜୀବନ କଷ୍ଟକର ହେଲେ ତୁମେ ମୋର ଶକ୍ତି ସାଜିଛ, ଭାବପ୍ରବଣ ସମୟରେ ଧୈର୍ଯ୍ୟ ଦେଇଛ ଏବଂ ଅନ୍ଧକାର ସମୟରେ ଆଲୋକ ସାଜିଛ। ତୁମେ ସଦାବେଳେ ଜଣେ ଦେବୀଙ୍କ ଭଳି ଶକ୍ତି ବହନ କରିଛ, ଯିଏ ସମସ୍ତଙ୍କୁ ଭଲପାଏ, ସୁରକ୍ଷା ଦିଏ ଏବଂ କ୍ଷମା କରିଦିଏ। ହାପି ବର୍ଥଡେ’ ମାଇଁ ଲଭ୍।” ରାଜ୍ ଓ ଶିଳ୍ପା ୨୦୦୯ ନଭେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ଏବେ ସେମାନଙ୍କର ଗୋଟିଏ ପୁଅ ଭିୟାନ୍ ଓ ଗୋଟିଏ ଝିଅ ସମିଶା ଅଛନ୍ତି।

ଫିଲ୍ମ ଦୁନିଆରେ ଶିଳ୍ପା ଶେଟ୍ଟୀଙ୍କ କ୍ୟାରିୟର ୩ ଦଶନ୍ଧିରୁ ଅଧିକ ସମୟର ହୋଇସାରିଛି। ୧୯୯୩ ମସିହାରେ ଶାହରୁଖ ଖାନଙ୍କ ବିପକ୍ଷରେ ‘ବାଜିଗର’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରି ସେ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହାପରେ ‘ମେଁ ଖିଲାଡ଼ି ତୁ ଅନାଡ଼ି’, ‘ଧଡ଼କନ୍’, ‘ରିସ୍ତେ’, ‘ଫିର ମିଲେଙ୍ଗେ’ ଏବଂ ‘ଲାଇଫ୍ ଇନ୍ ଆ ମେଟ୍ରୋ’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ସେ ଦମଦାର ଅଭିନୟ କରିଛନ୍ତି। କେବଳ ଅଭିନୟ ନୁହେଁ, ବରଂ ଟେଲିଭିଜନ ରିଆଲିଟି ସୋ’ରେ ଜଜ୍ ଭାବରେ ଏବଂ ଜଣେ ସଫଳ ବିଜନେସ୍‌ଓମ୍ୟାନ୍ ଭାବେ ମଧ୍ୟ ସେ ବେଶ୍ ଜନପ୍ରିୟ।

ସିନେମା ଜଗତକୁ ଫେରିବା ପରେ ଶିଳ୍ପାଙ୍କୁ ନିକଟରେ ‘ହଙ୍ଗାମା ୨’ ଏବଂ ‘ସୁଖୀ’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ଶେଷ ଥର ପାଇଁ ସେ ରୋହିତ ଶେଟ୍ଟୀଙ୍କ ୱେବ୍ ସିରିଜ୍ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’ରେ ଏକ ପୋଲିସ୍ ଅଫିସର ଭୂମିକାରେ ନଜର ଆସିଥିଲେ। ଖୁବ୍ ଶୀଘ୍ର ସେ ବଡ଼ ପରଦାରେ ଧମାକା କରିବାକୁ ଯାଉଛନ୍ତି। କନ୍ନଡ ସିନେମା ‘KD: ଦ ଡେଭିଲ୍’ରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି, ଯେଉଁଥିରେ ସଞ୍ଜୟ ଦତ୍ତ ଏବଂ ଧ୍ରୁବ ସର୍ଜା ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।

ତେବେ ୫୧ ବର୍ଷ ବୟସରେ ମଧ୍ୟ ନିଜର ଫିଟ୍‌ନେସ୍ ଏବଂ ସୁନ୍ଦରତା ପାଇଁ ସେ ସାରା ଦେଶର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛନ୍ତି।

Leave A Reply

Your email address will not be published.