Latest Odisha News

BREAKING NEWS

ପଣସ ମଞ୍ଜିର ଚମତ୍କାରିତା

ଭୁବନେଶ୍ବର: ଦିନ ଥିଲା, ପଣସ ପାଚିବା ପରେ ଲୋକେ କେବଳ କୋଷାତକ ଖାଇ ମଞ୍ଜିଗୁଡ଼ିକୁ ଅଦରକାରୀ ଭାବି ଫିଙ୍ଗି ଦେଉଥିଲେ କିମ୍ବା ବାଡ଼ି ବଗିଚାରେ ଏହା ସେମିତି ପଡ଼ି ରହି ନଷ୍ଟ ହେଉଥିଲା। କିନ୍ତୁ ସମୟ ବଦଳିଛି। ‘ପଣସ’ର ପୁଷ୍ଟିକର ଗୁଣ ବିଷୟରେ ଏବେ ସାରା ବିଶ୍ୱ ସଚେତନ ହେବାରେ ଲାଗିଛି। କଞ୍ଚା ପଣସ ପାଉଡରଠାରୁ ଆରମ୍ଭ କରି ପଣସ ତରକାରୀ ପର୍ଯ୍ୟନ୍ତ, ଏହା ଏବେ ବିଭିନ୍ନ ସ୍ଵାଦିଷ୍ଟ ରୂପରେ ଆମ ଖାଦ୍ୟ ଥାଳିରେ ସ୍ଥାନ ପାଉଛି। ତେବେ ଏହି ଗଛର ଏମିତି ଏକ ଅଂଶ ଅଛି, ଯାହାକୁ ଆମେ ପ୍ରାୟତଃ ଅଣଦେଖା କରିଥାଉ—ତାହା ହେଉଛି ପଣସ ମଞ୍ଜି। ଆକାର ଅନୁଯାୟୀ ଏକ ଗୋଟିଏ ପଣସରୁ ୧୦୦ରୁ ଅଧିକ ମଞ୍ଜି ମିଳିଥାଏ, ଯାହା ଶରୀର ପାଇଁ ଏକ ଶକ୍ତିଶାଳୀ ‘ସୁପରଫୁଡ୍’।

ଯଦି ଆପଣ ଦିନକୁ ମାତ୍ର ଥରେ ଏହି ମଞ୍ଜିକୁ ସଠିକ୍ ଭାବେ ସେବନ କରୁଛନ୍ତି, ତେବେ ଶରୀରକୁ ପ୍ରାୟ ୭ରୁ ୮ ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ୍ ମିଳିପାରିବ।

ପୋଷକ ତତ୍ତ୍ଵର ଭଣ୍ଡାର: କ’ଣ କହେ ବିଜ୍ଞାନ ଓ ଆୟୁର୍ବେଦ ?

ପ୍ରତି ୧୦୦ ଗ୍ରାମ ପଣସ ମଞ୍ଜିରୁ ପ୍ରାୟ ୧.୫ ଗ୍ରାମ ଫାଇବର (ତନ୍ତୁ), ୨୫.୮ ଗ୍ରାମ କାର୍ବୋହାଇଡ୍ରେଟ୍, ୧.୫ ମିଲିଗ୍ରାମ ଆଇରନ୍, ୫୪ ମିଲିଗ୍ରାମ ମ୍ୟାଗ୍ନେସିୟମ୍, ୨୪ ୬ ମିଲିଗ୍ରାମ ପୋଟାସିୟମ୍ ଏବେ ୫୦ ମିଲିଗ୍ରାମ କ୍ୟାଲସିୟମ୍ ମିଳିଥାଏ।

ଏହି ମଞ୍ଜିରେ ପ୍ରଚୁର ପରିମାଣରେ ‘ପଲିଫେନୋଲ୍ସ’ ଥାଏ, ଯାହା ତ୍ୱଚାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ଓ ଚମକଦାର (Ageless Skin) ରଖିବାରେ ସାହାଯ୍ୟ କରେ। ଏଥିରେ ଥିବା ଜିଙ୍କ୍ ଓ ଅନ୍ୟାନ୍ୟ ମାଇକ୍ରୋ-ମିନେରାଲ୍ସ ଶରୀରର ହରମୋନ୍ ସନ୍ତୁଳନ ରଖିବା ସହ ପ୍ରଜନନ କ୍ଷମତା ବୃଦ୍ଧି କରିଥାଏ। ଆୟୁର୍ବେଦ ଅନୁସାରେ, ଏଥିରେ ମଧ୍ୟମ ଧରଣର ଉଦ୍ଭିଦଭିତ୍ତିକ ପ୍ରୋଟିନ୍ ଥିବାରୁ ଏହାକୁ ଅନ୍ୟ ମଞ୍ଜି, ବାଦାମ, ଡାଲି ଜାତୀୟ ଖାଦ୍ୟ କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟ ସହ ମିଶାଇ ଖାଇଲେ ଶରୀରକୁ ସମ୍ପୂର୍ଣ୍ଣ ପ୍ରୋଟିନ୍ ମିଳିଥାଏ।

ପଣସ ମଞ୍ଜି ଖାଇବାର ପ୍ରମୁଖ ସ୍ୱାସ୍ଥ୍ୟ ଉପକାରିତା

ହଜମ ପ୍ରକ୍ରିୟା ଓ ଓଜନ ନିୟନ୍ତ୍ରଣ: ପଣସ ମଞ୍ଜିରେ ଥିବା ପ୍ରଚୁର ଫାଇବର କୋଷ୍ଠକାଠିନ୍ୟ ଦୂର କରି ଗୁଟ୍ ହେଲ୍ଥ ବା ପେଟ ସ୍ୱାସ୍ଥ୍ୟରେ ସୁଧାର ଆଣେ। ଫାଇବର ଯୋଗୁଁ ପେଟ ଅଧିକ ସମୟ ପୂରି ରହିଥାଏ, ଯାହାଦ୍ୱାରା ବାରମ୍ବାର ଭୋକ ଲାଗେନାହିଁ ଏବଂ ଓଜନ ନିୟନ୍ତ୍ରଣ କରିବାରେ ସହଜ ହୁଏ।

‘ରେଜିଷ୍ଟାଣ୍ଟ ଷ୍ଟାର୍ଚ’: ଏଥିରେ ଏକ ବିଶେଷ ପ୍ରକାରର ଷ୍ଟାର୍ଚ ଥାଏ, ଯାହା ସହଜରେ କ୍ଷୁଦ୍ରାନ୍ତ୍ରରେ ହଜମ ନହୋଇ ବୃହଦାନ୍ତ୍ରରେ ପହଞ୍ଚେ ଏବଂ ସେଠାରେ ଥିବା ଉପକାରୀ ବ୍ୟାକ୍ଟେରିଆଙ୍କ ପାଇଁ ଖାଦ୍ୟ ସାଜିଥାଏ। ଏହା ରକ୍ତରେ ଶର୍କରା (Blood Sugar) ସ୍ତରକୁ ହଠାତ୍ ବଢ଼ିବାକୁ ଦିଏନାହିଁ ଏବଂ ମେଟାବୋଲିଜିମ୍ରେ ସୁଧାର ଆଣେ।
ହୃଦୟର ସୁରକ୍ଷା: ଏଥିରେ ଥିବା ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ରକ୍ତଚାପ (BP) କୁ ନିୟନ୍ତ୍ରଣରେ ରଖେ। ଏହା ସହିତ ଏହାର ଫାଇବର ଶରୀରରୁ ଖରାପ କୋଲେଷ୍ଟ୍ରଲ (LDL) କମାଇ ହୃଦ୍ରୋଗର ଆଶଙ୍କା ହ୍ରାସ କରେ।

ରୋଗ ପ୍ରତିରୋଧକ ଶକ୍ତି ଓ ରକ୍ତହୀନତାରୁ ମୁକ୍ତି: ଆଣ୍ଟି-ଅକ୍ସିଡାଣ୍ଟ, ଜିଙ୍କ୍ ଏବଂ ଭିଟାମିନ୍ ‘ସି’ରେ ଭରପୂର ଏହି ମଞ୍ଜି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏଥିରେ ଥିବା ଆଇରନ୍ (ଲୌହ) ଉପାଦାନ ଶରୀରରେ ଲୋହିତ ରକ୍ତ କଣିକା ବୃଦ୍ଧି କରି ରକ୍ତହୀନତା ବା ଆନିମିଆ ସମସ୍ୟା ଦୂର କରେ।

ଖାଇବା ପୂର୍ବରୁ ଏହି ୩ ସାବଧାନତା ଜରୁରୀ

ପଣସ ମଞ୍ଜି ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭଦାୟକ, ଅସାବଧାନତା ଗ୍ରହଣ କଲେ ଏହା ସେତିକି କ୍ଷତିକାରକ ହୋଇପାରେ। ତେଣୁ ସେବନ ପୂର୍ବରୁ ଏହି ସତର୍କତା ପ୍ରତି ଧ୍ୟାନ ଦିଅନ୍ତୁ:

୧. କଦାପି କଞ୍ଚା ଖାଆନ୍ତୁ ନାହିଁ: କଞ୍ଚା ପଣସ ମଞ୍ଜିରେ ‘ଟାନିନ୍ସ’ ଏବଂ ‘ଟ୍ରିପସିନ୍ ଇନହିବିଟର୍ସ’ ଭଳି ଆଣ୍ଟି-ନ୍ୟୁଟ୍ରିଏଣ୍ଟସ୍ ଥାଏ, ଯାହା ଶରୀରକୁ ପୋଷକ ତତ୍ତ୍ୱ ଗ୍ରହଣ କରିବାରେ ବାଧା ଦିଏ ଏବଂ ବଦହଜମୀ ସୃଷ୍ଟି କରେ। ତେଣୁ ଏହାକୁ ପୋଡ଼ିକି କିମ୍ବା ସିଝାଇ ରନ୍ଧା ହେବା ପରେ ହିଁ ଖାଆନ୍ତୁ।

୨. ଔଷଧ ସେବନ କରୁଥିବା ବ୍ୟକ୍ତି ସତର୍କ ରୁହନ୍ତୁ: ପଣସ ମଞ୍ଜି ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ ଧିମା କରିଦିଏ। ତେଣୁ ଯେଉଁମାନେ ରକ୍ତ ପତଳା କରିବା ଔଷଧ କିମ୍ବା ନିୟମିତ ପେନ୍-କିଲର୍ ଖାଉଛନ୍ତି, ସେମାନେ ଅଧିକ ପରିମାଣରେ ପଣସ ମଞ୍ଜି ଖାଇବା ଅନୁଚିତ।

୩. ମଧୁମେହ (Diabetics) ରୋଗୀଙ୍କ ପାଇଁ ସୀମିତ ମାତ୍ରା: ଯଦିଓ ଏହା ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ସାହାଯ୍ୟ କରେ, ତଥାପି ଏଥିରେ କାର୍ବୋହାଇଡ୍ରେଟ୍ ଏବଂ ଷ୍ଟାର୍ଚର ମାତ୍ରା ଅଧିକ ଥିବାରୁ ମଧୁମେହ ରୋଗୀମାନେ ଏହାକୁ ସୀମିତ ଓ ନିୟନ୍ତ୍ରିତ ପରିମାଣରେ ଖାଇବା ଉଚିତ।

ଆପଣ ଏହାକୁ ଭାତ ସହିତ ତରକାରୀ କରି, ସିଝାଇ କିମ୍ବା ସାଧାରଣ ଭାବେ ପୋଡ଼ି/ସେକି ମଧ୍ୟ ସ୍ନାକ୍ସ ଭାବେ ଖାଇପାରିବେ। ତେଣୁ ଆଜିଠାରୁ ବାଡ଼ିର ଏହି ଅମୂଲ୍ୟ ସୁପରଫୁଡ୍କୁ ଫିଙ୍ଗି ନଦେଇ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ।

Leave A Reply

Your email address will not be published.